କନକ ବ୍ୟୁରୋ : ରାଜ୍ୟରେ ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ଗଡ଼ୁଛି ୭୦ଲକ୍ଷ ଗାଡ଼ି । ଏଭଳି ଗାଡ଼ି ଉପରେ ୧୦ହଜାର ଟଙ୍କା ଜରିମାନା ବ୍ୟବସ୍ଥା ରହିଛି । ତଥାପି ଖିଲାପକାରୀଙ୍କ ଭୟ ରହୁନି । ଏଭଳି ଗାଡ଼ି ଚଳାଚଳ ଦ୍ବାରା ନିର୍ଗତ ଗ୍ୟାସ୍ ଫୁସଫୁସ୍ କର୍କଟକୁ ଡାକି ଆଣୁଛି । ଯାହା ଏବେ ସମସ୍ତଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।
ପରିବହନ ପ୍ରାଧିକରଣ ସୂଚନା ଅନୁସାରେ, ରାଜ୍ୟରେ ୧ କୋଟି ୬ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି । ସେଥିରୁ ୧୫ଲକ୍ଷ ଗାଡ଼ି ଏବେ ରାଜ୍ୟରେ ଚଳାଚଳ କରୁନାହାନ୍ତି । ବାକି ୯୦ଲକ୍ଷ ଗାଡ଼ିରୁ ୮୦ ପ୍ରତିଶତ ହେଉଛି ଦୁଇଚକିଆ ଗାଡ଼ି । ଚଳାଚଳ କରୁଥିବା ୨୦ଲକ୍ଷ ଗାଡ଼ିର ପିୟୁସି ବା ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ରହିଛି । ବାକି ୭୦ଲକ୍ଷ ଗାଡ଼ି ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ରାସ୍ତାରେ ଗଡ଼ୁଛି । ମଟରଯାନ ଆଇନ୍ ଅନୁଯାୟୀ, ନୂଆ ଗାଡ଼ି ଲାଗି ବର୍ଷେ ଯାଏଁ ପ୍ରଦୂଷଣ ସାର୍ଟିଫିକେଟ୍ ଆବଶ୍ୟକ ନାହିଁ । କିନ୍ତୁ ବର୍ଷେ ପରେ ପ୍ରତି ୬ମାସ ବ୍ୟବଧାନରେ ପିୟୁସି ନେବା ବାଧ୍ୟତାମୂଳକ । ଏଥିରେ ଖିଲାପ କଲେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟର ପ୍ରାବଧାନ ରହିଛି ।