ଚୀନରୁ ଅଶୋଧିତ ତୈଳ କିଣିବା ବନ୍ଦ କଲା ଭାରତ !! ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଲା ରିପୋର୍ଟ

422

କନକ ବ୍ୟୁରୋ : ଚୀନ୍ ସହ ଜଡିତ କମ୍ପାନିଗୁଡିକରୁ ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କଂପାନିଗୁଡ଼ିକମାନେ ଅଶୋଧିତ ତୈଳ କିଣିବା ବନ୍ଦ କରି ଦେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ଭାରତ ଏବଂ ଚୀନ୍ ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ହେବା ପରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ପୂର୍ବରୁ ଚୀନ୍‌ ଉପରେ ଭାରତ ଗୋଟିଏ ପରେ ଗୋଟିଏ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବେଳେ ଏବେ ଚୀନ୍ ସହ ଜଡିତ କମ୍ପାନୀଗୁଡିକରୁ ଅଶୋଧିତ ତୈଳ କିଣିବା ବନ୍ଦ କରିଛି।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କମ୍ପାନୀଗୁଡିକ ବର୍ତ୍ତମାନ ଚୀନ କମ୍ପାନିରୁ ଅଶୋଧିତ ତୈଳ କିଣିବା ବନ୍ଦ କରି ଦେଇଛନ୍ତି। ଏହାପୂର୍ବରୁ ଭାରତ ସରକାର ଚୀନରୁ ଆମଦାନୀକୁ ନେଇ ନିୟମକୁ କଡାକଡି କରିଥିଲେ। ଜୁଲାଇ ୨୩ରେ ଭାରତ ଏବଂ ଚୀନ୍ ସୀମା ବିବାଦ ମଧ୍ୟରେ ମୋଦୀ ସରକାର ନୂତନ ନିୟମ ଘୋଷଣା କରିଥିଲେ। ନୂତନ ଆଦେଶ ଜାରି ହେବା ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ଚୀନ କମ୍ପାନିରୁ ଅଶୋଧିତ ତୈଳ ଆମଦାନୀ କରିବା ବନ୍ଦ କରିଦେଇଥିବା ଜଣା ପଡ଼ିଛି।

ଗତ ସପ୍ତାହରେ ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କଂପାନିଗୁଡ଼ିକ ଚୀନର ବାଣିଜ୍ୟ ସଂସ୍ଥା ସିଏନଓଓସି ଲିମିଟେଡ୍, ୟୁନିପେକ୍ ଏବଂ ପେଟ୍ରୋ ଚୀନରୁ ଅଶୋଧିତ ତୈଳ ଆମଦାନୀ ପାଇଁ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ସୂଚନା ମିଳିଛି। ତେବେ ଏ ନେଇ ଭାରତୀୟ ସରକାରୀ ରିଫାଇନାରୀ ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ କର୍ପ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପ, ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି।

ନୂତନ ନିୟମରେ, ପଡୋଶୀ ଦେଶର କମ୍ପାନୀଗୁଡିକ ଭାରତୀୟ ଟେଣ୍ଡରରେ ଭାଗ ନେବାକୁ ହେଲେ ବାଣିଜ୍ୟ ବିଭାଗରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରି ଦିଆଯାଇଥିଲା। ଭାରତ ସୀମା ସହ ଚୀନ୍, ପାକିସ୍ଥାନ, ବାଂଲାଦେଶ, ମିଆଁମାର, ନେପାଳ ଏବଂ ଭୁଟାନ ସୀମା ଲାଗି ରହିଥିଲେ ମଧ୍ୟ ନୂତନ ନିୟମ ଘୋଷଣା କରିବା ସମୟ‌ରେ ସରକାର କୌଣସି ଦେଶର ପୃଥକ ନାମକରଣ କରିନଥିଲେ। ତେବେ ଚୀନର ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ସରକାର ଏହି ବଡ଼ ପଦକ୍ଷେପ ନେଇଥିବା ସ୍ପଷ୍ଟ ଭାବରେ ଦେଖାଯାଇଥିଲା |