କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ କସରତ ଓ ଶକ୍ତି ସଂଗ୍ରହ ତେଜ୍ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ବିଜୁ ଜନତା ଦଳ ଓ ନବୀନଙ୍କ ଉପରେ । କାରଣ ବିଜେଡିର ନିଷ୍ପତି ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ହେଲେ ଏଯାଏଁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ନବୀନ ।

ବିଜେଡି ସୁପ୍ରିମୋ ନବୀନଙ୍କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଫୋନ କଲ ପରେ ରାଷ୍ଟ୍ରପତି ନିର୍ବାଚନ ନେଇ ରାଜ୍ୟରେ ଚର୍ଚ୍ଚା ବଢ଼ିଛି । କାରଣ ରାଜନାଥ ଏହି ଫୋନ କଲରେ ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି । କେନ୍ଦ୍ରରେ ଶାସନ ଗାଦିରେ ଥିବା ଏନଡିଏ ଏଯାଏଁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ନାହିଁ । ହେଲେ କେମିତି ନିଜ ସମ୍ଭାବ୍ୟ ପ୍ରାର୍ଥୀଙ୍କ ପାଇଁ ପର୍ଯ୍ୟାପ୍ତ ସମର୍ଥନ ଯୋଗାଡ଼ କରିହେବ, ସେଥିରେ ଲାଗିପଡ଼ିଛନ୍ତି ମୋଦୀ ସରକାର । ବିଜେପିର ଆଶା ଯେ, ଗତ ଥର ଭଳି ଏଥର ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ରହିବ । ହେଲେ ବିଜେଡିର କହିବା କଥା ଏଯାଏଁ କୌଣସି ନିଷ୍ପତି ହୋଇ ନାହିଁ ।

କାହାକୁ ସବୁବେଳେ ବିରୋଧ କି ସମର୍ଥନ କରୁନଥିବା ନବୀନ, ପ୍ରସଙ୍ଗ ଭିତିରେ ନିଷ୍ପତି ନିଅନ୍ତି । ତେଣୁ ବିଜେଡିର ସମର୍ଥନ ହାତେଇବାକୁ ଉଭୟ ମୋଦୀ ସରକାର ଓ ବିରୋଧୀ ପକ୍ଷ ଲାଗିପଡ଼ିଛନ୍ତି । କାରଣ ବିଜେଡିର ହଁ କି ନା, ଏକ ବଡ଼ ଏପଟସେପଟ କରିବାରେ ସକ୍ଷମ ।

ଏନସିପି ମୁଖ୍ୟ ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଦେବା ପରେ ଏବେ ପ୍ରାର୍ଥୀଙ୍କ ସନ୍ଧାନ କରୁଛନ୍ତି ବିରୋଧୀ ପକ୍ଷ । ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁ ଉପରେ ବିଚାର କରୁଛନ୍ତି ବିରୋଧୀ । ସେପଟେ ଏନଡିଓ ପକ୍ଷରୁ ତିନି ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଓଡ଼ିଶାର ବିଜେପି ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ, କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ ଇସ୍ରୋର ପୂର୍ବତନ ମୁଖ୍ୟ କେ.ସିବନଙ୍କ ମଧ୍ୟରୁ ଜଣଙ୍କୁ ମୋଦୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିପାରନ୍ତି ବୋଲି ଆଲୋଚନା ହେଉଛି ।