କନକ ବ୍ୟୁରୋ: ବିମାନଯାତ୍ରୀଙ୍କୁ ଆକୃଷ୍ଟ କରିବ ଓଡ଼ିଶାର ହସ୍ତତନ୍ତ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦେଶ ତଥା ଦେଶ ବାହାରକୁ ଯାତ୍ରା କରୁଥିବା ଯାତ୍ରୀ ବିମାନବନ୍ଦରରେ ଓଡିଶା ହସ୍ତତନ୍ତ କିଣିପାରିବେ। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଛି ଏକ ଅତ୍ୟାଧୁନିକ ବୟନିକା ସୋରୁମ୍। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । କେବଳ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ହସ୍ତତନ୍ତ ହିଁ ବିକ୍ରି ହେବ ଏହି ଷ୍ଟଲରେ। କୋଟପାଡ ହସ୍ତତନ୍ତ ବସ୍ତ୍ର, ଓଡିଶା ଇକତ୍, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ବସ୍ତ୍ର, ବୋମକେଇ ଶାଢୀ, ହାବାସପୁରୀ ଶାଢୀ ଓ ବସ୍ତ୍ର, ବ୍ରହ୍ମପୁର ଫୋଡାକୁମ୍ଭ ଶାଢୀ ଏବଂ ଖଣ୍ଡୁଆ ଶାଢ଼ୀ ଓ ବସ୍ତ୍ର କିଣିପାରିବେ ଗ୍ରାହକ। ଖୁବ ଶୀଘ୍ର ଏହି ସୁବିଧା ପାଇବେ ବିମାନଯାତ୍ରୀ । ବିମାନବନ୍ଦରରେ ବହୁ ଅନ୍ତର୍ଜାତୀୟ କମ୍ପାନୀ ନିଜର ସାମଗ୍ରୀ ବିକ୍ରି କରୁଥିବାବେଳେ ଏଣିକି ବୟନିକାରେ ବିକ୍ରି ହେବ ଓଡ଼ିଶାର ନିଜସ୍ବ ହସ୍ତତନ୍ତ।