ସାବାଡ୍ ହେବେ ରୋଡ୍ ରୋମିଓ…ଝିଅଙ୍କୁ ହଇରାଣ କଲେ ପୁଲିସ୍ ପଠାଇବ ନାଲିକାର୍ଡ…ସ୍ୱତନ୍ତ୍ର ଆଇନ ବଳରେ ବର୍ଷେ ପାଇଁ ଯୁବକଙ୍କୁ କରାଯିବ ତଡିପାର

ମହିଳା ସଶକ୍ତିକରଣକୁ କମିଶନରେଟ୍ ପୁଲିସର ଗୁରୁତ୍ୱ

822

କନକ ବ୍ୟୁରୋ: ପାନେ ପାଇବେ ରୋଡ୍ ରୋମିଓ । ଏଣିକି ମହିଳାଙ୍କୁ କମେଂଟ କିମ୍ବା ହଇରାଣ ହରକତ କଲେ ଆଉ ନିସ୍ତାର ପାଇବେନି ରୋଡ୍ ରୋମିଓ । ଏପରିକି ଅଭିଯୋଗରେ ସତ୍ୟତା ଥିଲେ ଉକ୍ତ ଯୁବକଙ୍କୁ ବର୍ଷେ ପାଇଁ କରାଯିବ ତଡିପାର । ଆଜି କମିଶନରେଟ୍ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଏଭଳି ଏକ କଠୋର ନିଷ୍ପତି ଶୁଣାଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ।

ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସାଧାରଣ ମହିଳାଙ୍କୁ ନେଇ ଏକ ସ୍ୱତନ୍ତ୍ର ପୋଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି ଦିଆଯାଇଛି । ଯେଉଁଥିରେ ପାଖାପାଖି ୨୪୬ ଜଣ ମହିଳା ସାମିଲ ହୋଇଛନ୍ତି । ତେବେ ବଡ କଥା ହେଲା କି, ଏମାନେ ପୋଲିସକୁ ସବୁପ୍ରକାରର ସୂଚନା ଦେବେ । ଏପରିକି ସେମାନେ ଚାହିଁଲେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ । ଏଥିପାଇଁ ଏମାନଙ୍କୁ ସାମିୟକ ଭାବେ ୩ ମାସ ପାଇଁ ନିଯୁକ୍ତି ଦିଆଯାଇଛି । କାହାକୁ ସୁରକ୍ଷା ଦରକାର, କେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଏସବୁ ଦିଗରେ କଡା ନଜର ରଖିବେ ଏହି ଏସପିଓର ସଦସ୍ୟମାନେ ।

ସେହିଭଳି ଯଦି କୌଣସି ଯୁବକ ଝିଅମାନଙ୍କୁ କମେଂଟ ବା ହଇରାଣ ହରକତ କରୁଥିବାର ନଜର ଆସନ୍ତି ତେବେ ତାକୁ ଏକ ନାଲିକାର୍ଡ ନୋଟିସ କରାଯିବା ସହ ଉକ୍ତ ଯୁବକର ଅଭିଭାବକ କିମ୍ବା ଓକିଲ ଏବାବଦରେ ଉତର ରଖିବାକୁ ନିର୍ଦ୍ଦେଶ ଦିଆଯିବ । ଆଉ ଯଦି ସେମାନଙ୍କ ଉତର ସନ୍ତୋଷଜନକ ନହୁଏ ତେବେ ଉକ୍ତ ଯୁବକ ଜଣକ ଯେଉଁ ଜାଗାରେ ମହିଳାଙ୍କୁ ହଇରାଣ ବା କମେଂଟ ମାରୁଥିଲେ ସେଠାରୁ ତାଙ୍କୁ ସ୍ୱତନ୍ତ୍ର ଆଇନ ବଳରେ ବର୍ଷେ ଯାଏଁ ନ ଆସିବାକୁ ନିର୍ଦ୍ଦେଶ ଦିଆଯିବ ବା ବର୍ଷେ ପାଇଁ ଉକ୍ତ ସ୍ଥାନରୁ ତଡିପାର କରାଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ।