ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ଲକ୍ଷ୍ୟ: ଆଦର୍ଶ ବିଦ୍ୟାଳୟ ପାଇଁ ନିଯୁକ୍ତି ହେଲେ ୪୪୩ ଶିକ୍ଷକ

183

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଓଡିଶା ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି।

ବିଶେଷକରି ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହାଦ୍ୱାରା ଉପକୃତ ହେଉଛନ୍ତି । ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ଗୁଡିକ ଏକ ରୋଲ ମଡେଲ ହେଉ ବୋଲି ସେ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପିଲାମାନଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ୱାସ ବୃଦ୍ଧି ହେବ ଏବଂ ସେମାନେ ଏହି ପ୍ରତିଯୋଗୀତାମୂଳକ ଦୁନିଆରେ ସବୁପ୍ରକାର ବାଧାବିଘ୍ନକୁ ଅତିକ୍ରାନ୍ତ କରି ସଫଳତାର ପାହାଚ ଚଢିପାରିବେ ତାହା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପିଲାମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଠିକ୍‌ ଭାବରେ ଗାଇଡ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ  ପରାମର୍ଶ ଦେଇଥିଲେ ।

ପ୍ରତି ଛାତ୍ରଛାତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆମର ଉଦ୍ୟମ ହେବ ନୂଆ ଓ ରୂପାନ୍ତରିତ ଓଡଶା ଗଠନରେ ବଳିଷ୍ଠ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଦିଗରେ ଶିକ୍ଷକ ମାନେ ସେମାନଙ୍କ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆଗେଇ ଆସିବାକୁ ଆହ୍ଵାନ ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ । ଏଥିରେ ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା,  ସହିତ ସାକ୍ଷରତା ଅଭିଯାନରେ ସାମିଲ କରିବା ଯୋଗ, କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା ଜାତୀୟ  ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା, ସ୍କୁଲ ସମୟରୁ ଦକ୍ଷତାର ବିକାଶ ପ୍ରତି ଯତ୍ନବାନ ହେବା ଆଦି  ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।