ବଞ୍ଚିବା ପାଇଁ ଫୁଟବଲ୍ ଖେଳାଳୀଙ୍କ ସଂଘର୍ଷ। ଖେଳକୁ ନେଇ ସାବାସୀ ପାଇଲେ ହେଲେ ଜୀବନ ଯୁଦ୍ଧରେ ହାରିଗଲେ ରାମଦାସ। କର୍କଟ ରୋଗର ଶିକାର ହୋଇ ଏବେ ଭଗବାନଙ୍କ ଭରସାରେ କଟୁଛି ଜୀବନ

ସ୍ୱାସ୍ଥ୍ୟ ଯୋଜନାରେ କାର୍ଡ ଅଛି ହେଲେ ମିଳୁନି ସହାୟତା

302

କନକ ବ୍ୟୁରୋ: ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳୀ ରାମଦାସ ମୁଦୁଲି । ଜିଲ୍ଳାଠାରୁ ରାଜ୍ୟ ପର୍ଯ୍ୟନ୍ତ ଅନେକ ପୁରସ୍କାର ପାଇଛନ୍ତି, ଖେଳକୁ ନେଇ ସାବାସି ପାଇଲେ ,ଜିଲ୍ଳା ଗର୍ବିତ ହେଲା କିନ୍ତୁ ନିଜ ଜୀବନ ଖେଳରେ ସେ ହାରିଗଲେ । କର୍କଟ ରୋଗରେ ପୀଡ଼ିତ ହୋଇ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗାଗନାପୁର ଗାଁର ରାମଦାସ ଏବେ ଜିଇଁବା ପାଇଁ ମରଣ ସହ କରୁଛନ୍ତି ସଂଗ୍ରାମ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ନିଜର ଯାହା ଯେତେ ଜମିବାଡି ଥିଲା ସେସବୁକୁ ବିକ୍ରି କରିଦେଇ ରାମଦାସ ଏବେ ପରିବାର ନେଇ ପର ଘରେ ମୁଣ୍ଡ ଗୁଂଜିଛନ୍ତି । ବଡ କଥା ହେଲା କି, ରାମଦାସଙ୍କ ନିକଟରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ବୀମା କାର୍ଡ ଥିଲେ ସୁଦ୍ଧା ଏହା ତାଙ୍କ ପାଇଁ ଅଲୋଡା ହୋଇପଡିଛି । ପାଖରେ ଆଉ ଟଙ୍କା ନଥିବାରୁ ଦୀର୍ଘ ୨ ବର୍ଷ ହେଲା ଭଗବାନଙ୍କ ଭରସାରେ ଭଡା ଘରେ ପଡିରହିଛନ୍ତି ରାମଦାସ ।

ପତ୍ନୀ ଏବଂ ୪ ପିଲାଙ୍କୁ ନେଇ ରାମଦାସ ଦୀର୍ଘ ବର୍ଷ ହେଲା ଗାଗନାପୁର ଗାଁରେ ରହିଆସୁଛନ୍ତି । ଖେଳ ବୟସ ସରିବା ପରେ ଆଉ କେହି ପଚାରିଲେ ନାହିଁ, ନିଜେ କୁଲି କାମ କରି ସେ ତାଙ୍କ ପରିବାର ପେଟ ପୋଷୁଥିଲେ । ହେଲେ ରାମଦାସଙ୍କ ଭାଗ୍ୟରେ ତ ଆଉ କଣ ଲେଖା ଥିଲା । ଦଇବ ଦାଉ ସାଜିଲା ଭଳି ୩ ବର୍ଷ ତଳେ ପେଟ ଯନ୍ତ୍ରଣା ଯୋଗୁଁ ରାମଦାସଙ୍କ ଅସ୍ତ୍ରୋପଚାର କୋରାପୁଟରେ କରାଯାଇଥିଲା । କିନ୍ତୁ ଏହାର କିଛି ଦିନ ପରେ ପୁଣି ରାମଦାସଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏଠାରେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ତେବେ ଚିକିତ୍ସା ପାଇଁ ଯାହା ଟଙ୍କା ଦରକାର ପଡିଲା ରାମଦାସ ନିଜ ଜମିବାଡି ବିକ୍ରି କରି ଦେଇଥିଲେ । ମାତ୍ର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ବି ସୁସ୍ଥ ହୋଇପାରିନଥିଲେ ରାମଦାସ ।

ଅନ୍ୟପଟେ ରାମଦାସଙ୍କ ପାଖରେ ରହିଛି ବିଜୁ କୃଷଣ କଲ୍ୟାଣ ଯୋଜନାର ସ୍ୱାସ୍ଥ୍ୟ ବୀମା କାର୍ଡ ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା  ଯୋଜନାର ଏକ ସ୍ୱାସ୍ଥ୍ୟ ବୀମା କାର୍ଡ । କିନ୍ତୁ ଏହି ଯୋଜନାରେ ରାମଦାସଙ୍କୁ କୌଣସି ବି ଚିକିତ୍ସା ସୁବିଧା ମିଳିନଥିବା କହିଛନ୍ତି ରାମଦାସଙ୍କ ପରିବାର ଲୋକେ ।  ତେବେ ଘରର ମୁରବି ଶଯ୍ୟାଶାୟୀ ହେବା ପରଠୁ ପରିବାରର ଆର୍ଥିକ ସ୍ଥିତି ଏବେ ଦୋହଲି ଗଲାଣି । ଘରେ ଖାଇବାକୁ ନଥିବା ବେଳେ ସରକାରୀ ଯୋଜନା ଏହି ପରିବାର ପାଇଁ ପାଲଟିଯାଇଛି ସାତସପନ । ସମୟ ଗଡିବା ସହ ରାମଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରେ ଲାଗିଛି ଏବଂ ରାମଦାସଙ୍କ ସହ ତାଙ୍କ ପରିବାର ଲୋକେ ବି ଅତି ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି । ତେଣୁ ଯଦି ସରକାରଙ୍କ ପକ୍ଷରୁ ରାମଦାସଙ୍କୁ ଆର୍ଥିକ ସହାୟତା ମିଳିଯାଆନ୍ତା ତେବେ ତାଙ୍କ ପରିବାରରେ କିଛି ମାତ୍ରାରେ ସୁଧାର ଆସିପାରନ୍ତା ।