କନକ ବ୍ୟୁରୋ: ରେଡ ରିବନ ତରଫରୁ ଆଜି ରାଜ୍ୟସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଚ.ଆଇ.ଭି/ ଏଡସ୍ ସଂକ୍ରମଣର ନିୟନ୍ତ୍ରଣ ଓ ଦୂରୀକରଣ ନିମନ୍ତେ ଯୁବ ସମାଜକୁ ଏକଜୁଟ କରିବା ଓ ସେମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ରେଡ ରିବନ କ୍ଲବର ଏକମାତ୍ର ଲକ୍ଷ୍ୟ ବୋଲି ଆୟୋଜକମାନେ ମତ ଦେଇଥିଲେ । ସେହି ଦୃଷ୍ଟିରୁ ରେଡ ରିବନ କ୍ଲବ ଏଚ.ଆଇ.ଭି/ ଏଡସ୍ ସଚେତନତାର ପ୍ରତୀକ ରୂପେ ଗ୍ରହଣ କରାଯାଇଛି ବୋଲି ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡାକ୍ତର ଉର୍ମିଳା ମିଶ୍ର ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନରେ ଏକ ଦିବସୀୟ ରାଜ୍ୟସ୍ତରୀୟ ରେଡ ରିବନ କ୍ଲବର ସଂଯୋଜକମାନଙ୍କର ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ମିଶ୍ର ଏହା ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ଏଚ.ଆଇ.ଭି/ ଏଡସ୍ ସଂକ୍ରମଣ କ୍ଷେତ୍ରରେ ଯୁବପୀଢିକୁ ଏକ ବିପଦପୂର୍ଣ୍ଣ ଗୋଷ୍ଠି ଭାବେ ପରିଗଣିତ କରାଯାଇଛି । ଦୈନନ୍ଦିନ ଜୀବନରେ ଅଧିକରୁ ଅଧିକ ବିପଦର ସମ୍ମୁଖୀନ ହେବାର ଆଶଙ୍କା ସେମାନଙ୍କର ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ କଲେଜରେ ରେଡ ରିବନ କ୍ଲବ ଖୋଲାଯାଇଛି । ପିଲାଙ୍କର ଉତମ ଭବିଷ୍ୟତ ଗଢିବା ସହ ଛାତ୍ରଛାତ୍ରୀମାନେ କିପରି ଅଧିକ ସ୍ୱାସ୍ଥ୍ୟବାନ ହେବେ ସେଥିପ୍ରତି ସଂଯୋଜକମାନେ କ୍ରିୟାଶୀଳ ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲାରୁ ଶତାଧିକ ରେଡ ରିବନ କ୍ଲବର ପରାମର୍ଶଦାତାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ଅଂଜନା ପଣ୍ଡା ଏଚ.ଆଇ.ଭି/ ଏଡସ୍ ବିଷୟରେ ମୂଳ ଧାରଣା ଓ ଓଡ଼ିଶାର ଚିତ୍ର ବିଷୟରେ ଆଲୋକପାତ କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ଦେବେନ୍ଦ୍ର ପ୍ରସାଦ ଦାସ, କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ନନ୍ଦ, ଓସାକ୍ସର ବିତ ପରାମର୍ଶଦାତ୍ରୀ ସୁଶ୍ରୀ ସୁଖଲତା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଡି.ଏସ.ଅରବିନ୍ଦ, ସହକାରୀ ନିର୍ଦ୍ଦେଶକ ଇଂ ଅଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡ ରିବନ କ୍ଲବକୁ ଅଧିକ ସକ୍ରିୟ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ ।
ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ରେଡ ରିବନ କ୍ଲବକୁ ଅଧିକ କ୍ରିୟାଶୀଳ କରିବାକୁ ଉପସ୍ଥିତ ରେଡ ରିବନ କ୍ଲବ ସଂଯୋଜକମାନଙ୍କୁ ଆହ୍ୱାନ ଦେଇଥିଲେ । ରେଡ ରିବନ କ୍ଲବ ଓ ଯୁବ ରେଡକ୍ରସର ରାଜ୍ୟ ସଂଯୋଜକ ଗୋପାଳକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଓସାକ୍ସ ଓ ଯୁବ ରେଡକ୍ରସର କର୍ମଚାରୀମାନେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/index.jpg)