କନକ ବ୍ୟୁରୋ: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଶୁକ୍ରବାର ରାସ୍ତା ଓସାର ପାଇଁ ଅନନ୍ତ ବାସୁଦେବ ମନ୍ଦିରର ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ଯାଇଛି। ହେଲେ ବଡ଼ ଧରଣର ଉଚ୍ଛେଦ ଆସନ୍ତାକାଲି ହେବାକୁ ଯାଉଛି। ଏନେଇ ପ୍ରଶାସନ ପକ୍ଷରୁ ଏକ ପ୍ରଚାର ଗାଡ଼ି ବୁଲି ପ୍ରଚାର କରିଛି। ଏଥିରେ ଯଦିଓ ରାସ୍ତା କଡ଼ ଜବରଦଖଲ କରିଥିବା ଦୋକାନୀଙ୍କୁ ଉଠିଯିବାକୁ କୁହାଯାଇଛି କିନ୍ତୁ ବିଏମସି, ବିଡିଏ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ଅମିନଙ୍କ ଦ୍ବାରା ମାପଚୁପ ହୋଇ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକୁ ବୁଲଡୋଜର୍ ଲଗାଇ ଭାଙ୍ଗିବାକୁ ପ୍ରଶାସନ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ କମିସନରେଟ୍ ପୁଲିସକୁ ଆବଶ୍ୟକ ଫୋର୍ସ ଯୋଗାଇ ଦେବାକୁ କୁହାଯାଇଛି।

Advertisment

ଆସନ୍ତାକାଲି ବଡ଼ ଧରଣର ଉଚ୍ଛେଦ ହେବାକୁ ପ୍ରଚାର ହେବା ପରେ ବ୍ୟବସାୟୀ ସଂଘ, ସ୍ଥାନୀୟ ଲୋକ ଏବଂ ୧୨ସାହିର ମୁରବି ମେଳି ବାନ୍ଧିଛନ୍ତି। ଯେପରି ପ୍ରଶାସନ ତାଙ୍କ ଦୋକାନ ଓ ଘର ଉପରେ ହାତ ନ ମାରିବ, ସେନେଇ ସଜବାଜ ହୋଇଛନ୍ତି। ଏପରିକି ଉଠା ଦୋକାନୀମାନେ ରାସ୍ତାରେ ଟାୟାର ଜାଳି ଉଚ୍ଛେଦକୁ ପ୍ରତିବାଦ କରିଥିଲେ। ପୁଲିସ ଆସି ବୁଝାସୁଝା କରିବା ପରେ ସେମାନେ ବିକ୍ଷୋଭରୁ ହଟିଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାସୁଝା କରିବା ସହ ପ୍ରଶାସନକୁ ପୁରୀ ଭଳି କଠୋର ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଥିଲେ।
ଶନିବାର ଓ ରବିବାର ଏହି ଉଚ୍ଛେଦ କରିବାକୁ ଯୋଜନା ହୋଇଥିଲେ ହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ଯୋଗୁଁ ଏହି ଉଚ୍ଛେଦ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି।

ପ୍ରାୟ ମାସକ ତଳେ ବିଏମସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର ଏବଂ ଏହା ନିକଟରେ ଥିବା କିଛି ମନ୍ଦିରକୁ ଲାଗି ରହିଥିବା ରାସ୍ତା କଡ଼ର ସର୍ଭେ ହୋଇଥିଲା। ଏଥିରେ ଜଣାପଡ଼ିଥିଲା ଯେ ୨୨୫ଜଣ ବ୍ୟବସାୟୀ ଜବରଦଖଲରେ ଅଛନ୍ତି। ଯେତିକି ସ୍ଥିତିବାନ ଜମି ଅଛି, ତା’ଠାରୁ ଢେର୍ ଅଧିକ ରାସ୍ତାକୁ ମାଡ଼ି ଦୋକାନ କରିଛନ୍ତି। ଏହି ବ୍ୟବସାୟୀମାନଙ୍କୁ ଜବରଦଖଲ ଉଚ୍ଛେଦ କରିବାକୁ ବିଡିଏ ପକ୍ଷରୁ ନୋଟିସ୍ ହୋଇଛି। ଏପରିକି ଅମିନମାନେ ମାପଚୁପ କରି ଚିହ୍ନ ଦେଇଦେଇଛନ୍ତି। ଆସନ୍ତାକାଲିଠାରୁ ଏହି ଚିହ୍ନ ଅନୁଯାୟୀ ଜବରଦଖଲଗୁଡ଼ିକୁ ଉଚ୍ଛେଦ କରାଯିବ।

ଅପରପକ୍ଷେ ଗତକାଲି ମଧ୍ୟାହ୍ନରେ ଉଠାଦୋକାନୀଙ୍କୁ ଉଚ୍ଛେଦ ନେଇ ପ୍ରଚାର ଗାଡ଼ି ବୁଲିବା ପରେ ଉଠା ଦୋକାନୀମାନେ ଏହାର ପ୍ରତିବାଦ କରି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାସ୍ତାରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେତେକ ଯୁବକ ପ୍ରଚାର ଗାଡ଼ିରେ ଆସିଥିବା ବିଡିଏ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ସେପଟେ ସ୍ଥାୟୀ ଦୋକାନୀମାନେ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଅପେକ୍ଷା କରି ନିରାଶ ହୋଇ ଫେରିଥିଲେ। ଅଯଥାରେ ଦୋକାନ ଭାଙ୍ଗିବା ବନ୍ଦ କରିବା ଓ ଉଠାଦୋକାନୀଙ୍କୁ ଥଇଥାନର ପ୍ରତିଶ୍ରୁତି ନଦେଲେ ଉନ୍ନତିମୂଳକ କାର୍ଯ୍ୟ କରାଇଦେବୁ ନାହିଁ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।