କନକ ବ୍ୟୁରୋ: ଆଗାମୀ ଦିନରେ ଏୟାର ଏସିଆ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ଉଡ଼ାଣ କରିବ କି ନାହିଁ ସେନେଇ ଆଜି ଆପାତତଃ ନିଷ୍ପତ୍ତି ନିଆଯିବ । ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ଏୟାର ଏସିଆକୁ ସବସିଡି ଦେଉଥିବାବେଳେ ଆଗାମୀ ଦିନରେ ଏହା ଦେବେ କି ନାହିଁ, ଯଦି ଦେବେ କେତେ ଦେବେ, କେଉଁ ସର୍ତ୍ତରେ ଦେବେ ସେନେଇ ଆଜି ନିଷ୍ପତ୍ତି ହେବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଏୟାର ଏସିଆ କର୍ତ୍ତୃପକ୍ଷ ବସି ଆଲୋଚନା ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଏପ୍ରିଲ ୨୬,୨୦୧୭ରୁ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ସପ୍ତାହକୁ ଚାରିଦିନ ବିମାନ ସେବା ଆରମ୍ଭ କରିଥିବା ଏୟାର ଏସିଆ ରାଜ୍ୟ ସରକାରଙ୍କ ଠାରୁ ପ୍ରତି ଉଡ଼ାଣ ପିଛା ୧ଲକ୍ଷ ୭୦ହଜାର ଟଙ୍କା ସବ୍ସିଡି ପାଉଥିଲା।
ଯାତ୍ରୀ ସଂଖ୍ୟା ଆଶାତିତ ବୃଦ୍ଧି ପାଇବାରୁ ଏୟାର ଏସିଆ ନଭେମ୍ବର ୨୬ରୁ ସପ୍ତାହକୁ ୭ଦିନ ବିମାନ ସେବା ଆରମ୍ଭ କରିଥିଲା। ଏପରିକି ଏହି ବର୍ଷକରେ ରାଜ୍ୟ ସରକାର ସପ୍ତାହକୁ ୪ଦିନ ହିସାବରେ ପ୍ରାୟ ୬କୋଟି ଟଙ୍କା ସବସିଡି ଦେଇଥିଲେ। ଏହାପରେ ଏବେ ସବସିଡି ଦିଆଯାଉନି। ଏବେ ଏୟାର ଏସିଆ ପ୍ରତ୍ୟେକ ଉଡ଼ାଣ ପାଇଁ ସବସିଡି ମାଗୁଥିବାରୁ ଏହା ଦିଆଯିବ କି ନାହିଁ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିନି। ଏୟାର ଇଣ୍ଡିଆ ସପ୍ତାହକୁ ତିନିଦିନ ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ କରୁଥିଲେ ହେଁ ସବସିଡି ନେଉଥିବାରୁ ରାଜ୍ୟ ସରକାର କାହିଁକି ଏୟାର ଏସିଆକୁ ସବସିଡି ଦେଉଛନ୍ତି ବୋଲି ପ୍ରଶ୍ନ ଉଠିଛି। ଏପରିକି ଏନେଇ ଆଇନଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ରାଜ୍ୟ ସରକାର ସବସିଡି ଅବଧି ବଢ଼ାଇଲେ କ’ଣ ସର୍ତ୍ତ ରଖିବେ ସେନେଇ ଏବେ ମାନସମନ୍ଥନ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ଏୟାର ଏସିଆ କର୍ତ୍ତୃପକ୍ଷ କହିଛନ୍ତି ଯେ, ରାଜ୍ୟ ସରକାର ସପ୍ତାହକୁ ୭ଦିନ ୧ଲକ୍ଷ ୭୦ହଜାର ଲେଖାଏଁ ସବ୍ସିଡି ପ୍ରଦାନ କଲେ କ୍ୱାଲାଲମ୍ପୁରକୁ ଉଡ଼ାଣ ସମ୍ଭବ ହେବ। କିନ୍ତୁ ରାଜ୍ୟ ସରକାର ଏତେ ଟଙ୍କା ଦେଇପାରିବେନି ବୋଲି ରୋକଠୋକ୍ ମନା କରିଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/2-50.jpg)