ସାବଧାନ, ଚୀନରୁ ଆସିପାରେ ଅଜଣା ପାର୍ସଲ । ଜମିରେ ବୁଣିଲେ ବର୍ଷ ବର୍ଷ ଧରି ନଷ୍ଟ ହୋଇପାରେ ଫସଲ, ଆମେରିକା, ଜାପାନ ଓ କାନାଡ଼ାକୁ ପାର୍ସଲ ଆସିବା ପରେ ବଢ଼ିଲା ଭୟ ।
କନକ ବ୍ୟୁରୋ : କାହା ଘରକୁ ବି ଆସିପାରେ ଏକ ଅଜଣା ବିହନ ଭରା ପାର୍ସଲ । ଆଉ ଏହି ବିହନ ପାର୍ସଲ ପହଞ୍ଚୁଛି ଚାଷୀର ଘରେ । ବିହନ ପାର୍ସଲ ଦେଖି ଖୁସି ହୋଇ ଯଦି ଚାଷୀ ଏହାକୁ ନିଜ ଜମିରେ ବୁଣିଦିଏ, ତେବେ କଥା ସରିଲା । ବର୍ଷ ବର୍ଷ ଯାଏ, ସେ ଜମିରେ ଆଉ କିଛି ଚାଷ ହେବନି । ଏବେ ଏଭଳି ଏକ ଭୟ ଚାରିଆଡେ ଗ୍ରାସିବାରେ ଲାଗିଛି । ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଆମେରିକା, କାନାଡା, ଲଣ୍ଡନ, ନ୍ୟୁଜିଲାଣ୍ଡ, ଜାପାନ ଓ କିଛି ୟୁରୋପୀୟ ଦେଶରେ ଏଭଳି ପାର୍ସଲ ପହଞ୍ଚୁଛି । ଗତ କିଛି ମାସ ମଧ୍ୟରେ ସାରା ବିଶ୍ୱରେ ଏମିତି ହଜାର ହଜାର ବିହନ ପ୍ୟାକେଟ୍ ଧରାଯାଇଛି । ଆମେରିକା କୃଷି ବିଭାଗ ଏହାକୁ ବ୍ରସିଂ ସ୍କାମ ଓ ଏଗ୍ରିକଲଚରାଲ ସ୍ମଗଲିଂ ବୋଲି କହୁଛି । ଏହି ମଂଜି ଅସ୍ୱାଭାବିକ ଭାବେ ଫସଲରେ ରୋଗ ସୃଷ୍ଟି କରିବା ଆଶଙ୍କା ରହିଛି । ଏହା ପରିବେଷ, କୃଷି ଓ ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।
ଚୀନ୍ ପକ୍ଷରୁ ଏଭଳି ବିହନ ସାରା ବିଶ୍ୱକୁ ପଠାଯାଉଛି ବୋଲି କେତେକ ସନ୍ଦେହ ପ୍ରକାଶ କରୁଥିବା ବେଳେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ ମଧ୍ୟ ଏହା ଚୀନରୁ ଆସିଛି ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ ପରେ ଓଡିଶା ସରକାର ମଧ୍ୟ ସବୁ ଜିଲ୍ଲାର କୃଷି ଅଧିକାରୀ ମାନଙ୍କୁ ସତର୍କ କରାଇଛନ୍ତି । ଓଡିଶା ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ କହିଛନ୍ତି, ଏଭଳି ବିହନ ପାର୍ସଲ ଭାରତକୁ ମଧ୍ୟ ଆସିସାରିଛି । କୌଣସି ପରିସ୍ଥିତିରେ ଏହାକୁ ବ୍ୟବହାର ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେପଟେ ଓୟୁଏଟିର କୃଷି ବିଶେଷଜ୍ଞ ତାପସ ମିଶ୍ର କହିଛନ୍ତି, ଏଭଳି ପରିସ୍ଥିତିରେ ସତର୍କ ରହିବାର ଆବଶ୍ୟକତା ରହିଛି ।