ଆଜି ରାତିରେ ଗୋପାଳପୁର ଛୁଇଁବ ବାତ୍ୟା ! ପାଣିପାଗ ବିଭାଗର ସତର୍କତା ପରେ ସରକାର ସଜାଗ୍ ।

58

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷପ ନେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଲୋକଙ୍କ ପାଇଁ ଯଥେଷ୍ଟ ପରିମାଣରେ ରିଲିଫ ସାମଗ୍ରୀ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଦେଖାଦେଇଥିବା ଲଘୁଚାପ ଆଜି ରାତି ସୁଦ୍ଧା ଗୋପାଳପୁର ଅତିକ୍ରମ କରିବ । ଉପକୂଳ ଛୁଇଁବା ସମୟରେ ଏହା ବତ୍ୟାରେ ପରିଣତ ହେବା ସହିତ ୬୦ ରୁ ୮୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିବା ସହିତ ଏହାର ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରେ ସଡକ ନଷ୍ଟ ହେବା ସହିତ ବିଜୁଳି ସରବରାହ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ଇଞ୍ଜିନିୟରିଂ ବିଭାଗ ଗୁଡିକ ଆଗୁଆ ପଦକ୍ଷପ ନେଇ ତୁରନ୍ତ ମରାମତି କରି ସମସ୍ତ ବ୍ୟବସ୍ଥାକୁ ପୁନଃସ୍ଥାପନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ହସ୍ପିଟାଲ ଏବଂ ଜଳଯୋଗାଣ ବ୍ୟବସ୍ଥା ପାଇଁ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ।

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, ଓ ପୁରୀ ଆଦି ୫ଟି ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ ଆସନ୍ତା କାଲି ସରକାରୀ ଛୁଟି ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଅନ୍ୟ ଜିଲ୍ଲା ଗୁଡିକରେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ନିଷ୍ପତି ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ରାଜ୍ୟର ଓଡ୍ରାଫ ଓ ଏନଡିଆରଏଫ ଟିମ୍ ଗୁଡିକ ପ୍ରସ୍ତୁତ ଅଛନ୍ତି । ରିଲିଫ ସାମଗ୍ରୀ ସହିତ ସମସ୍ତ ଅତ୍ୟାବଶ୍ୟକ ପଦାର୍ଥ ମହଜୁଦ ରଖାଯାଇଛି ।