ଘରୋଇ ନର୍ସିଂ ହୋମ ପରି ଚମକିବ ସରକାରୀ ଡାକ୍ତରଖାନା । ପ୍ରତିଦିନ ରୋଗୀଙ୍କୁ ମିଳିବ ବେଡସିଟ୍

ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଆରମ୍ଭ ହେଲା ସେବା

576

କନକ ବ୍ୟୁରୋ: ଏଣିକି ଘରୋଇ ନର୍ସିଂ ହୋମ ପରି ଚମକିବ ସରକାରୀ ଡାକ୍ତରଖାନା । କାରଣ ପ୍ରତିଦିନ ରୋଗୀଙ୍କୁ ମିଳିବ ବେଡସିଟ । ଏଥିପାଇଁ ପ୍ରତି ଦିନ ଭିନ୍ନ ଭିନ୍ନ ରଙ୍ଗର ବେଡ ସିଟ ଯୋଗାଇବା ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ମାଲାକନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆରମ୍ଭ ହୋଇଛି ଏହି ନୂତନ ବେଡ ସିଟ ବ୍ୟବସ୍ଥା ।

ମେନ୍ୟୁ ଅନୁଯାୟୀ, ପ୍ରତି ଦିନ ସଫା ବେଡ ସିଟ ପଡିବା ଲାଗି ଡାକ୍ତରଖାନା ପରିସରରେ ଏକ ସ୍ୱତନ୍ତ୍ର ଲଣ୍ଡ୍ରୀ ସ୍ଥାପନ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବା ପରେ ଏ ହେଉଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିତ୍ର । ଆଉ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ବେଡସିଟ ବ୍ୟବହାର କରିବେନି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ । ପ୍ରତି ଦିନ ସକାଳେ ପୁରୁଣା ବେଡ ସିଟ ବଦଳା ଯାଇ ନୂତନ ଓ ସଫା ବେଡସିଟ ପକାଯିବ ।

ରାଜ୍ୟର ସମସ୍ତ ଜିଲ୍ଲ ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଆରମ୍ଭ ହେବାକୁ ଥିବା ବେଳେ ଗତ ନଭେମ୍ବର ପହିଲାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଏହି ସେବା ଆରମ୍ଭ ହୋଇଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୦୦ ଲେଖାଏଁ ବେଡ ସିଟ କିଣାଯାଇଥିବାବେଳେ ଡାକ୍ତରଖାନା ପରିସରରେ ହିଁ ଏକ ଅତ୍ୟାଧୁନିକ ଲଣ୍ଡ୍ରୀ ମଧ୍ୟ ସ୍ଥାପନ କରା ଯାଇଛି । ଉତମ ସେବା ଯୋଗାଇବା ଲାଗି ଏକ ଘରୋଇ କମ୍ପାନୀକୁ ଦାୟୀତ୍ୱ ମଧ୍ୟ ଦିଆ ଯାଇଛି ।