ବିଧାନସଭା ଭିତରେ ବିରୋଧୀ, ବାହାରେ ଶାସକ ଦଳର ପ୍ରତିବାଦ

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧୀମୂର୍ତି ତଳେ ଧାରଣା; ସେପଟେ ମମିତା ମେହେର ହତ୍ୟା ମାମଲାରେ ଡିଜିପିଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

124

କନକ ବ୍ୟୁରୋ : ଦ୍ବିତୀୟ ଦିନରେ ବି ବିଧାନସଭା ଆରମ୍ଭରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଏହାଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ଶ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ସ୍ୱାଭାବିକ ହୋଇପାରୁନି ଗୃହ କାର୍ଯ୍ୟ । ଗୃହ ଭିତରେ ବିରୋଧୀଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗକୁ ଚାଲିଯାଇଥିଲେ ।

ବିରୋଧୀ ବିଧାନସଭା ଭିତରେ ମମିତା ମେହେର ପ୍ରସଙ୍ଗରେ ହଟ୍ଟଗୋଳ କରୁଥିବାବେଳେ ଶାସକ ବିଜୁଜନତା ଦଳର ବିଧାୟକମାନେ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି । ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ଧାରଣା ଦେଇଛନ୍ତି । ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ଦରଦାମ ନକମିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ଚେତାବନୀ ଦେଇଛି ।

ସେପଟେ ରାଜଭବନ ସମ୍ମୁଖରେ ମଧ୍ୟ ବିଜେଡି ଯୁବ ଓ ଛାତ୍ର କର୍ମୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରୁଛନ୍ତି ବିଜେଡି କର୍ମୀ । କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିବା ସହ ପ୍ରତିବାଦ କରୁଛନ୍ତି । ମମିତା ମେହେର ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ୍ ରହିଛି । ଆଜି ନ୍ୟାୟ ଦାବିରେ କଂଗ୍ରେସର ୮ଜଣିଆ ପ୍ରତିନିଧି ଦଳ ଡିଜିପିଙ୍କୁ ଭେଟିଛନ୍ତି । ଏଥିସହିତ ରାଜ୍ୟରେ ଦେଖା ଦେଇଥିବା ଆଇନ ଶୃଙ୍ଖଳାକୁ ନେଇ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଡିଜିପିଙ୍କୁ ଭେଟିଛନ୍ତି ।