ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ସ୍କୁଲ ଯିବା ଆଗରୁ ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ଦିଆଯିବ ଧ୍ୟାନ ?

1,123

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ଘୋଷଣା ପରେ ଜାରି ହେଲା ଗାଇଡ ଲାଇନ । ଜାନୁୟାରୀ ୮ରେ ଖୋଲିବ ସ୍କୁଲ । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ । କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ସ୍କୁଲରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ଜାରି ହୋଇଛି ଏସଓପି ।

ତେବେ ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି । ଅବରୋଧ ଅଞ୍ଚଳ ଭିତରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ସ୍କୁଲ ମନା । ଅବରୋଧ ଅଞ୍ଚଳ ଘୋଷଣା ହେଲେ ସ୍କୁଲ ତୁରନ୍ତ ବନ୍ଦ ହେବ । ଯଦି କୌଣସି ଶିକ୍ଷକ କିମ୍ବା ପିଲା ଅବରୋଧ ଅଞ୍ଚଳରୁ ଥାନ୍ତି ତେବେ ସେମାନଙ୍କ ଆସିବା ଉପରେ ରୋକ ଲଗାଯିବ । ସ୍କୁଲ ପରିସରର ସାଧାରଣ ସ୍ଥାନ ଗୁଡ଼ିକୁ ବାରମ୍ବାର ସାନିଟାଇଜ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ । ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ନାହିଁ । ଯେବେ ହଷ୍ଟେଲ ଖୋଲିବା ସୁରକ୍ଷିତ ମନେକରାଯିବ ଏସଓପି ଜାରି ହେବ ।

ସ୍କୁଲ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ନିରୁତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ
ା ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ । କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ । ରୋଲ ନମ୍ବର ଅନୁସାରେ କ୍ଲାସରୁମରେ ବସିବା ନିର୍ଦ୍ଧାରଣ କରାଯିବ । ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ । ସ୍କୁଲ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ । ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ମନା ।

ସେପଟେ କମନ ରୁମ ଓ ଷ୍ଟାଫ୍ ରୁମରେ ଦୂରତା ରଖିବାକୁ ନିର୍ଦ୍ଦେଶ । ହାତ ସାନିଟାଇଜ ପାଇଁ ସମସ୍ତ ଶୌଚାଳୟରେ ସାବୁନ ରଖିବାକୁ ପରାମର୍ଶ । କ୍ଲାସରୁମ ଭିତରକୁ ପଶିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବାକୁ ଉତ୍ସାହିତ କରିବେ ଶିକ୍ଷକ । ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ ପରିସରରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟର କୋଭିଡ ହେଲ୍ପଲାଇନ ନମ୍ବର ଲେଖାରହିବ । ସ୍କୁଲ ପରିସରରେ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ ରୁମ୍ ରହିବ । ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଆଇସୋଲେଟ କରାଯିବ । ଘରୁ ଉଷୁମ ଓ ପୁଷ୍ଟିକର ଖାଦ୍ୟଳ ଆଣିବା ସହ ଏହାକୁ କାହା ସହ ନ ବାଣ୍ଟିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।