ସାତପଡାରୁ ଦୀଘା : କୋଷ୍ଟାଲ ହାଇୱେ ପାଇଁ ସବୁଜ ସଂକେତ ଦେଲେ ସରକାର, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଉପରେ ଝୁଲୁଛି ପ୍ରକଳ୍ପର ଭାଗ୍ୟ ।

406

କନକ ବ୍ୟୁରୋ : ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ ପାଇଁ ବାଟ ଖୋଲିଛି । ଏ ନେଇ ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତୃପକ୍ଷ ମଧ୍ୟରେ ଚାଲିଥିବା ବିବାଦର ଏକରକମ ଅବସାନ ହୋଇଛି । ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ରାଜି ହୋଇଛନ୍ତି ସରକାର । ତେବେ ଚିଲିକାରେ ବ୍ରିଜ ନିର୍ମାଣ ଓ ସାତପଡ଼ାରୁ ଗୋପାଳପୁର ରାସ୍ତା ନେଇ ପୁଣିଥରେ ଆଲୋଚନା ହେବ । ସମୁଦ୍ର ବେଳାଭୂମି କୂଳେ କୂଳେ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଦାବି କରୁଥିଲେ ରାଜ୍ୟ ସରକାର । ଏବେ ସରକାର ସବୁଜ ସଂକେତ ଦେଇଥିବାରୁ ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ଉପରେ ନିର୍ଭର କରୁଛି ଏହି ପ୍ରକଳ୍ପର ଭାଗ୍ୟ ।

ଯେଉଁ କୋଷ୍ଟାଲ ହାଇୱେକୁ ନେଇ ଗତ ୨ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା, ଏବେ ଏହାର ନିର୍ମାଣ ପାଇଁ ବାଟ ଫିଟିଛି । ଭାରତମାଳା ପରିଯୋଜନା ପ୍ରକଳ୍ପରେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆବଶ୍ୟକ ଅନୁମତି ନେବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ କୁହାଯାଇଛି । ପୂର୍ବରୁ କୋଷ୍ଟାଲ ହାଇୱେକୁ ସମୁଦ୍ର ବେଳାଭୂମି କୂଳେ କୂଳେ ନେବାକୁ ରାଜ୍ୟ ସରକାର ଦାବି କରୁଥିଲେ । ତେବେ ଏଥିପାଇଁ ଅଧିକ ଖର୍ଚ୍ଚ ହେବା ସହ ଅଧିକ ଜମି ଅଧିଗ୍ରହଣ ଓ ଅଧିକ ଜଙ୍ଗଲ ଜମି ଅନୁମତି ଆବଶ୍ୟକତା ଥିବା ଦର୍ଶାଇଥିଲେ ଜାତୀୟ ରାଜପଥ କର୍ତୃପକ୍ଷ ।

ତେବେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜାତୀୟ ରାଜପଥ ପୂର୍ବରୁ ଯେଉଁ ନକ୍ସା ପ୍ରସ୍ତୁତ କରିଥିଲା, ସେହି ଅନୁଯାୟୀ ରାସ୍ତା କରିବା ପାଇଁ ଶେଷରେ ରାଜି ହୋଇଛନ୍ତି ରାଜ୍ୟ ସରକାର । କୋଷ୍ଟାଲ ହାଇୱେ ତଥା ନୂଆ ଜାତୀୟ ରାଜପଥ – ୫୧୬(ଏ) ରେ ୪୧୫ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଗଂଜାମ ଜିଲ୍ଲା ଗୋପାଳପୁର ବନ୍ଦରରୁ ବାହାରି ଦୀଘା ପର୍ଯ୍ୟନ୍ତ ଏହି ରାଜପଥ ତିଆରି ହେବ । ପ୍ରଥମ ପର୍ଯ୍ୟାୟରେ ସାତପଡ଼ାରୁ ଭାୟା ପୁରୀ – କୋଣାର୍କ – ଅସ୍ତରଙ୍ଗ – ରତନପୁର – ଧାମରା – ବାସୁଦେବପୁର – ଚାନ୍ଦିପୁର ଦେଇ ଦୀଘା ପର୍ଯ୍ୟନ୍ତ ରାସ୍ତା ପାଇଁ ସହମତି ପ୍ରକାଶ କରିଛନ୍ତି ଓଡ଼ିଶା ସରକାର ।

ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା ଏବଂ ଚିଲିକା ଉପରେ ହେବାକୁ ବ୍ରିଜ୍ ସଂପର୍କରେ ପରେ ପୁଣିଥରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର । କୋଷ୍ଟାଲ ହାଇୱେ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ଯେଉଁ ଡିଜାଇନ ଦାଖଲ କରିଥିଲେ, ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ବିଶେଷଜ୍ଞ କମିଟି । ବିଶେଷଜ୍ଞ କମିଟି କହିଥିଲେ, ଭିତରକନିକା ଅଭୟାରଣ୍ୟରୁ ଆରମ୍ଭ ହେବାକୁ ଥିବା ରାସ୍ତା – ବାଲୁଖଣ୍ଡ ଅଭୟାରଣ୍ୟ, ଚିଲିକାର ନଳବଣକୁ ପ୍ରଭାବିତ କରିବ । ତେବେ ରାଜ୍ୟ ସରକାର ପୁରୁଣା ନକ୍ସାରେ ରାଜି ହୋଇଥିବାରୁ ପୁଣିଥରେ ସେହି ନକ୍ସାର ଅନୁମତି ପାଇଁ ଆବେଦନ କରିବାକୁ ଯାଉଛି ଜାତୀୟ ରାଜପଥ କର୍ତୃପକ୍ଷ ।