୨୦ରେ ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟଗ୍ରହଣ । ଭୋଟରଙ୍କ ପାଇଁ ଛୁଟି ଘୋଷଣା କଲେ ସରକାର ।

129

କନକ ବ୍ୟୁରୋ : ଦିନ ଦୁଇଟା ପରେ ପାଟକୁରା ନିର୍ବାଚନ । ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ଆସନ ପାଇଁ ମତଦାନ ହେବ । ଆଉ ଏହାକୁ ଦୃଷ୍ଟିରେ ରଖି ପାଟକୁରା ଭୋଟରଙ୍କ ପାଇଁ ୨୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି ସରକାର । ଆସନ୍ତା ୨୦ ଅଥାର୍ତ ଶନିବାର ଦିନ ପାଟକୁରାର ସବୁ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଛୁଟି ରହିବ। ନିର୍ବାଚନ ଦିନଟିକୁ ସବୈତନିକ ଛୁଟି ଦିବସ ଭାବେ ଗ୍ରହଣ କରାଯିବ।

ଏହାପୂର୍ବରୁ ଆଜି ପାଟକୁରା ମୁକାବିଲାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଡେରାବିଶ୍ ଏବଂ ଗରଦପୁର ବ୍ଲକରେ ଆଜି ପ୍ରଚାର କରିଛନ୍ତି ନବୀନ । କେବଳ ପ୍ରଚାର କରି ନାହିଁନ୍ତି, ବରଂ ପାଟକୁରା ଉପରେ ନଜର ରଖିବାକୁ ଦଳୀୟ ବିଧାୟକ ଓ ନେତାଙ୍କୁ ତାଗିଦ୍ କରିଛନ୍ତି ଦଳୀୟ ସୁପ୍ରିମୋ । ନିର୍ବାଚନକୁ ମଝିରେ ଆଉ ଦୁଇ ଦିନ ବାକି ଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ ପଟ୍ଟନାୟକ ।

ସେହିଭଳି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହାପୂର୍ବରୁ ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । ଆଉ ଏହାକୁ ଆହୁରି ବିଳମ୍ବ କରିଥିଲା ବାତ୍ୟା ଫୋନି । ଆଉ ସାଧାରଣ ନିର୍ବାଚନ ଶେଷ ହେବା ପରେ ଆସନ୍ତା ୨୦ ତାରିଖରେ ପାଟକୁରାରେ ମତଦାନ କରିବା ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । ୨୦ ତାରିଖରେ ନିର୍ବାଚନ ହେବା ସହ ୨୪ ତାରିଖରେ ଭୋଟ ଗଣତି ହେବ । ଏସବୁ ଭିତରେ ପାଟକୁରାରେ କିଏ ବାଜିମାତ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।