ବଢୁଛି କରୋନା ସଂକ୍ରମଣ, ସତର୍କ କଲେ ସରକାର । ଆଇସିୟୁ, ଅକ୍ସିଜେନ୍, ଔଷଧ ସହ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ।

142

କନକ ବ୍ୟୁରୋ: ଗୋଟିଏ ଦିନରେ ଦେଶରେ ୮୧ ହଜାରରୁ ଅଧିକ ସଂକ୍ରମଣ ଓ ରାଜ୍ୟରେ ୪୬୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆରମ୍ଭ ହୋଇଛି ତନାଘନା । ଜିଲ୍ଲାପାଳ, ମ୍ୟୁନିସପାଲ କମିସନର, ସିଡିଏମଓ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପୁଣିଥରେ ମହାମାରୀ ସଂକ୍ରମକ ରୂପ ନେଉଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ତେବେ ନଜର ପକାନ୍ତୁ କ’ଣ ରହିଛି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା – 

  • ମୁକାବିଲା ପାଇଁ ପ୍ରସ୍ତୁତ ରୁହ
  • କରୋନା ରୋଗୀଙ୍କ ତୁରନ୍ତ ଚିକିତ୍ସା ପାଇଁ ହସପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
  • ଅକ୍ସିଜେନ୍ ଯୁକ୍ତ ଆବଶ୍ୟକ ଶଯ୍ୟା ରଖିବାକୁ ପରାମର୍ଶ
  • ଆଇସିୟୁରେ ଆଇସୋଲେସନ୍ ବେଡ୍, ଏଚଡିୟୁ, ଡାଏଲେସିସ୍, ଲେବର ରୁମ୍ ପ୍ରସ୍ତୁତ ରଖ
  • ଅଳ୍ପ ସମୟ ମଧ୍ୟରେ ଚିକିତ୍ସା ପାଇଁ ଘରୋଇ ହସପିଟାଲ୍କୁ ପ୍ରସ୍ତୁତ ରଖାଯାଉ
  • ଫାଭିପିରାଭିର୍, ରେମଡିସିଭିର୍ ଆଦି ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ
  • କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାରେ ପୁଣିଥରେ ତାଲିମ ଦିଆଯାଉ
  • ନିୟମ ଅନୁସାରେ ଘରୋଇ ସଙ୍ଗରୋଧରେ ଥିବା ରୋଗୀଙ୍କୁ ଯତ୍ନ ନିଅନ୍ତୁ ରାପିଡ୍ ରେସପନ୍ସ ଟିମ୍
  • ଯୁଦ୍ଧକାଳୀନ ଭିତ୍ତିରେ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଟିକାକରଣ କରାଯାଉ

ଅନ୍ୟପଟେ ଗତ ୨୪ ଘଂଟା ଭିତରେ ଦେଶରେ ୮୧,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୪୬୯ ଜଣ । ଗତ ୬ ମାସର ରେକର୍ଡ ଭାଙ୍ଗିଛି ଦେଶର ଦୈନିକ ସଂକ୍ରମଣ । ଏପଟେ ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୪୬୧ ନୂଆ ଆକ୍ରାନ୍ତ ।

ବଢୁଥିବା ସଂକ୍ରମଣକୁ ଦୃଷ୍ଟି ରଖି କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଟେଷ୍ଟିଂ-ଟ୍ରେସିଂ ସର୍ଭିଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।  କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆବଶ୍ୟକ ପରିମାଣର ୱାର୍ଡ ଖୋଲିବା ସହ କ୍ଲଷ୍ଟର ସ୍ଥାନରେ କଂଟେନମେଂଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ପୁନେରେ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଶନିବାରଠାରୁ ୭ ଦିନ ପର୍ଯ୍ୟନ୍ତ ସଂଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଳଗାଯାଇଛି । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀଙ୍କୁ ଛାଡିଦେଲେ ସବୁକିଛି ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପୁନେ ପ୍ରଶାସନ ।