ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ, ବେଡ ଠାରୁ ଆରମ୍ଭ କରି ଅକ୍ସିଜେନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । 

178

କନକ ବ୍ୟୁରୋ : ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଗଠନ କରାଯାଇ ବୈଷୟିକ କମିଟିର ରିପୋର୍ଟ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁକାବିଲା ପାଇଁ ପରାମର୍ଶ ଜାରି କରିଛି । ଏଥିରେ କୁହାଯାଇଛି, କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଶିଶୁଙ୍କ ଚିକିତ୍ସା ପାଇଁ ୱିଙ୍ଗ ଗଠନ କରାଯିବ । ଯେହେତୁ ସାଧାରଣ ୱାର୍ଡରେ ଶିଶୁଙ୍କୁ ଆଇସୋଲଏସନରେ ରଖିବା ଏକ ଚ୍ୟାଲେଂଜ ତେଣୁ ଏହାକୁ ଆଖି ଆଗରେ ରଖି ପଦକ୍ଷେପ ନେବାକୁ ଏଥିରେ ପରାମର୍ଶ ଦିଆଯାଇଛି ।

ସେହିଭଳି କେସ୍ ଟୁ କେସ୍ ଅନୁଧ୍ୟାନ କରାଯାଇ ଜଣେ ଆଟେଣ୍ଡାଣ୍ଟଙ୍କୁ ଶିଶୁଙ୍କ ପାଖରେ ରହିବାକୁ ଅନୁମତି ମିଳିବ । ବଡ କଥା ହେଉଛି, ସମସ୍ତ ଜିଲ୍ଲା ମୁଖ୍ୟାଳୟ ଏବଂ ସବ ଡିଭିଜିନାଲ ମୁଖ୍ୟାଳୟରେ ୧୦ଟି ଏବଂ ସିଏଚସି ସ୍ତରରେ ୨ ରୁ ୪ଟି ବେଡ୍ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରଖିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ଯେଉଁ ଶିଶୁଙ୍କ ଠାରେ ଲକ୍ଷଣ ଦେଖାଯିବ ସେମାନଙ୍କୁ କୋଭିଡ ଫାସିଲିଟି ଥିବା ହସ୍ପିଟାଲକୁ ପଠାଇ ଦିଆଯିବ ।

ଏହାବାଦ୍ ରାଜ୍ୟର ୭ଟି ମେଡିକାଲ କଲେଜକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶିଶୁଙ୍କ ପାଇଁ କେତେ ବେଡ୍ ନିର୍ଦ୍ଧାରିତ ରହିବ, ସେନେଇ ଉଲ୍ଲେଖ କରାଯାଇଛି । ୬୪ଟି ଏନଆଇସିୟୁ, ୯୪ଟି ଏସଏନସିୟୁ, ୪୪ଟି ଏଚଡିୟୁ ଏବଂ ୧୫୫ଟି ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସବୁ କୋଭିଡ ହସ୍ପିଟାଲରେ ଆଇସିୟୁ ବ୍ୟବସ୍ଥା ରହିଛି ସେଠାରେ ୧୫% ଶିଶୁଙ୍କ ପାଇଁ ରଖିବାକୁ କୁହାଯାଇଛି । ରାଜ୍ୟରେ ୧୦ ହଜାର ୭୩୬ ବେଡ୍ ଏବଂ ୪୦୭୨ ଆଇସିୟୁ ବେଡ୍ ସମ୍ଭାବ୍ୟ ତୃତୀୟ ଲହର ବେଳେ ଶିଶୁଙ୍କ ପାଇଁ ନିର୍ଦ୍ଧାରିତ କରି ରଖିବାକୁ ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ।

ଯେଉଁ ସବୁ ଅଞ୍ଚଳରେ ଶିଶୁଙ୍କ ନିକଟରେ ସଂକ୍ରମଣର ସଂଖ୍ୟା ବଢିବ, ସେହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି । ଶିଶୁଭବନରେ ସ୍ୱତନ୍ତ୍ର କୋଭିଡ ବ୍ଲକ ଖୋଲିବା ବାବଦରେ ଅଧୀକ୍ଷକ ବିଚାର କରିପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ସମସ୍ତ ୱାର୍ଡରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍ତନ୍ୟପାନ ପାଇଁ ବ୍ୟବସ୍ଥା ରଖିବାକୁ କୁହଯାଇଥିବା ବେଳେ ଆବଶ୍ୟକୀୟ ଔଷଧ ଏବଂ ଉପକରଣ ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।

ତୃତୀୟ ଲହରରେ ଶିଶୁ ସବୁଠାରୁ ଅଧିକ ସଂକ୍ରମିତ ହେବାର ଅଶଙ୍କା ରହିଥିବାରୁ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ପରାମର୍ଶ ଦେବାକୁ ସରକାର ଏକ ବୈଷୟିକ କମିଟି ଗଠନ କରିଥିଲେ । ଆଉ ଏହା ଆଧାରରେ ଏବେ ସରକାର ଶିଶୁଙ୍କୁ ସୁରକ୍ଷିତ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।