ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଉପହାର । ଠିକ୍ ସମୟରେ ଋଣ ପରିଶୋଧ କଲେ ବିନା ସୁଧରେ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।

331

କନକ ବ୍ୟୁରୋ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥ୍ାପିତ ହୋଇଛି ରାଜ୍ୟ ବଜେଟ । ପଞ୍ଚମ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ କୃଷକଙ୍କୁ ଗୁରୁତ୍ୱ ଦେଇଛନ୍ତି ନବୀନ ସରକାର । କାଳିଆ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କାର ଭଣ୍ଡାର ଖୋଲିଛନ୍ତି ରାଜ୍ୟ ସରକାର । କେବଳ ଚାଷୀ ନୁହଁନ୍ତି ବରଂ କ୍ଷୁଦ୍ର ଚାଷୀ, ଭୂମିହୀନ ଚାଷୀ, ନାମମାତ୍ର ଚାଷୀଙ୍କୁ ମଧ୍ୟ ବିଭିନ୍ନ ଯୋଜନାରେ ସହାୟତା ଦେବାକୁ ବଜେଟରେ ଘୋଷଣା କରିଛନ୍ତି ସରକାର । କୃଷି ପାଇଁ ବଜେଟରେ ୨୦ ହଜାର ୭୪୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଉ ଏସବୁ ଭିତରେ କୃଷକଙ୍କ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ବଜେଟରେ କୃଷି ଋଣ ବାବଦକୁ ୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଚାଷୀଙ୍କ ପାଇଁ ସରକାରଙ୍କ ବଡ ଉପହାର । ଠିକ୍ ସମୟରେ ଋଣ ପରିଶୋଧ କଲେ ମିଳିବ ପୁରସ୍କାର । ଚାଷ ପାଇଁ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ଠିକ୍ ସମୟରେ ଚାଷୀଙ୍କୁ ଋଣ ପରିଶୋଧ ପାଇଁ ପୋତ୍ସାହିତ କରିବାକୁ ନୂଆ ଫର୍ମୁଲା ଆପଣାଇଛନ୍ତି ସରକାର । ଆଉ ଏହି ଫର୍ମୁଲାର ଗୋଟିଏ ଲକ୍ଷ୍ୟ, ଠିକ୍ ସମୟରେ ଋଣ ପରିଶୋଧ କର ଓ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନିଅ ।

ଏହାପୂର୍ବରୁ ଚାଷ କାର୍ଯ୍ୟ ପାଇଁ କୃଷକ ଋଣ ନେଉଥିଲେ ମଧ୍ୟ ଠିକ୍ ସମୟରେ ସୁଝୁନଥିଲେ । ଏପରିକି କିଛି ଚାଷୀ ଋଣ ନେଇ ଟଙ୍କା ଫେରାଉ ମଧ୍ୟ ନଥିଲେ । ତେଣୁ ଚାଷୀଙ୍କୁ ଋଣ ପରିଶୋଧ ପାଇଁ ପୋତ୍ସାହିତ କରିବାକୁ ବିନା ସୁଧରେ ଋଣ ଫର୍ମୁଲାକୁ ଆପଣାଇଛନ୍ତି ରାଜ୍ୟ ସରକାର । ଆଉ ଏହି ଘୋଷଣା ଅନୁଯାୟୀ, ଠିକ୍ ସମୟରେ ଋଣ ପରିଶୋଧ କଲେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବାକୁ ଘୋଷଣା କରିଛନ୍ତି ସରକାର । ପୂର୍ବରୁ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ୧ ପ୍ରତିଶତ ସୁଧରେ ଓ ୫୦ ହଜାରରୁ ଉଦ୍ଧ୍ୱର୍ ରାଶିର ଋଣ ୨ ପ୍ରତିଶତ ରିହାତି ସୁଧରେ ଯୋଗାଇ ଦେଉଛନ୍ତି ନବୀନ ସରକାର । କିନ୍ତୁ ଏଣିକି ଠିକ୍ ସମୟରେ ଋଣ ପରିଶୋଧ କରୁଥିବା କୃଷକମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ ବୋଲି ବଜେଟ ଘୋଷଣାରେ କହିଛନ୍ତି ଅର୍ଥମନ୍ତ୍ରୀ । ଏହି ସୁଧ ରିହାତି ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।