ରାଜ୍ୟକୁ କଲବଲ କଲାଣି ବନ୍ୟା । ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି, ତାଣ୍ଡବ ରଚୁଛି ବନ୍ୟାର ପ୍ରଖୋର ସ୍ରୋତ

296

(ଯାଜପୁର) ଯେଉଁଠି ଦୁଇ ମହଲା କୋଠା ଭୁଷୁଡି ଯାଉଛି, ସେଠି ମଣିଷ ତ’ ଅସହାୟ ମାତ୍ର । ବନ୍ୟା ପାଣିର ସ୍ରୋତରେ ତାସ୍ ଘର ଭଳି ଭାଙ୍ଗି ଯାଉଛି କୋଠାଘର । ଯେତେବେଳେ ସଂପୂର୍ଣ୍ଣ ଘର ଭୁଷୁଡି ଯାଉଛି, ସେଠି ଆସବାବପତ୍ର କଥା ଆଉ ପଚାରେ କିଏ ।

(ଯାଜପୁର) ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଉତ୍କଟ ହୋଇଛି । ବରୀ ଏବଂ ଧର୍ମଶାଳା ବ୍ଲକରେ ସ୍ଥିତି ଉଦବେଗଜନକ ରହିଛି । ଜିଲ୍ଲାର ପାଖପାଖି ୫୦ରୁ ଅଧିକ ପଂଚାୟତ ବନ୍ୟାରେ ପ୍ରଭାବିତ ହୋଇଛି ।

(କେନ୍ଦ୍ରାପଡ଼ା) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ଏକାଧିକ ପଂଚାୟତ ଏବେ ପାଣି ଘେରରେ । ଜଳବନ୍ଦୀର ଜୀବନ କାଟୁଛନ୍ତି ହଜାର ହଜାର ଲୋକ । କେଉଁଠି ଘରେ ପାଣି ପଶିଛି, ତ ଆଉ କେଉଁଠି ଗାଁ ମଝିରେ ଡଙ୍ଗା ଚାଲୁଛି । ଦାଣ୍ଡି ସାହି, ଅନ୍ଧାର, ପେଣ୍ଠପାଳ , ସିଂହଗାଁ ଅଂଚଳରେ ବନ୍ୟା ପାଣି ଯୋଗୁଁ ପୁରା ଅଂଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

(ବାଲେଶ୍ୱର) ବାଲେଶ୍ୱର ବାଲିଆପାଳ ବ୍ଲକର ୨୦ ଗାଁ ଜଳବନ୍ଦୀ ଭିତରେ ରହିଛି । ତଳବାଲିଆପାଳ ଓ ଆଠବାଟିଆ ଅଂଚଳରେ ବନ୍ୟା ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି । ବଡ଼ କଥା ହେଉଛି ବର୍ତମାନ ସୁଦ୍ଧା ପ୍ରଶାସନ ପହଂଚିନଥିବା ଅଭିଯୋଗ ହୋଇଛି ।

(ଭଦ୍ରକ) ଭଦ୍ରକ ସନେ୍ଧାଳ ପଂଚାୟତର ଅଧିକାଂଶ ଗାଁ ଏବେ ପାଣି ଘେରରେ । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଗାଁର ତଳିଆ ଅଂଚଳର ପାଣି ପଶିଯିବାର ଜୀବନଯାତ୍ରା ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।

(ସମ୍ବଲପୁର) ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ଆଉ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍ର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିଛି । ଯାହାର ପ୍ରଭାବ ସମ୍ବଲପୁର ଜିଲ୍ଲାର ତଳିଆ ଅଂଳଚରେ ଦେଖିବାକୁ ମିଳୁଛି ।

(ବାଙ୍କୀ) ମହାନଦୀରେ ବନ୍ୟା ଜଳ ବୃଦ୍ଧି ଫଳରେ ବାଙ୍କିରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ଘରେ ଘରେ ପଶିଛି ବନ୍ୟାଜଳ । କଇଁମୁଣ୍ଡି, ଶୁଖୁଆଖଳା, ସାଂପୁର ଭଳି ପ୍ରାୟ ୧୦ଟି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।