କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ୟେସ ବ୍ୟାଙ୍କରେ ଥିବା ୫୪୫କୋଟି ଟଙ୍କା ସୁରକ୍ଷିତ ଅଛି ବୋଲି ରିଜର୍ଭ ବ୍ୟାଙ୍କ ଓଡିଶା ସରକାରଙ୍କ ଅଧିକାରୀଙ୍କୁ ଜଣାଇଥିବା, ଆଜି ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ଅର୍ଥବିଭାଗର ଅଧିକାରୀମାନେ ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଏବଂ ଟଙ୍କା ସୁରକ୍ଷିତ ଥିବା ନେଇ ସେମାନେ ଆଶ୍ୱସ୍ତ କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ବ୍ୟାଙ୍କ ଦେବାଳିଆ ହୋଇଯାଇଥିବା ବେଳେ ଏତେ ପରିମାଣର ଟଙ୍କା କିଏ ଫେରାଇବ ? ଯଦି ବ୍ୟାଙ୍କ ନଫେରାଇଲା ତେବେ କିଏ ଟଙ୍କା ଦେବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

Advertisment

ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ଶ୍ରୀମନ୍ଦିରର କୋଟି କୋଟି ଟଙ୍କା ସୁରକ୍ଷିତ ତ? ସାରା ରାଜ୍ୟରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଥିବା ବେଳେ ଅର୍ଥ ସଚିବ କହିଛନ୍ତି ଏ ପ୍ରସଙ୍ଗରେ ଆରବିଆଇ ସହ କଥା ହୋଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ଅର୍ଥ ବିଭାଗ । ସବୁ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଥିବା ରିଜର୍ଭ ବ୍ୟାଙ୍କ ଆଶ୍ୱାସନା ଦେଇଥିବା କହିଛନ୍ତି ଅର୍ଥ ସଚିବ ଅଶୋକ ମୀନା । କୁହାଯାଉଛି ବର୍ତମାନ ୟେସ୍ ବ୍ୟାଙ୍କର ନେଟ୍ ୱର୍ଥ ଶୁନକୁ ଖସିଆସିଛି । ଅର୍ଥାତ୍ ୟେସ୍ ବ୍ୟାଙ୍କରୁ ଏବେ ଏତେ ପରିମାଣର ଟଙ୍କା ମିଳିବା ପ୍ରାୟ ଅସମ୍ଭବ । ପ୍ରଶ୍ନ ଉଠୁଛି, ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଦେବ କିଏ? ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ ଆରବିଆଇ ସ୍ୱତନ୍ତ୍ର କୌଣସି ବ୍ୟବସ୍ଥା କରିବ କି?

ସେପଟେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି, ବ୍ୟାଙ୍କ ବୁଡିବାକୁ ବସିଥିବା ଜାଣିବା ସତ୍ୱେ କାହିଁକି ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିଥିଲେ ସରକାର । ୟେସ୍ ବ୍ୟାଙ୍କରେ ଟଙ୍କା ରଖିବା ପଛରେ ଗୁଢ଼ ରହସ୍ୟ ଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିୟମ ବାହାରକୁ ଯାଇ କେଉଁ ପରିସ୍ଥିତିରେ ବେସରକାରୀ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା, ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ନିରଂଜନ ।

publive-imageୟେସ୍ ବ୍ୟାଙ୍କରେ କେତେ ରହିଛି ଜଗନ୍ନାଥଙ୍କ ଟଙ୍କା?
୩୦ ସେପ୍ଟେମ୍ବର ୨୦୧୯ ସୁଦ୍ଧା ଶ୍ରୀମନ୍ଦିରର ୫୯୨ କୋଟି ଟଙ୍କା ଜମା କରାଯାଇଥିଲା
ସ୍ଥାୟୀ ଜମା ଆକାରରେ ୫୪୫ କୋଟି ଟଙ୍କା
ଫ୍ଲେକ୍ସି ଜମା ଆକାରରେ ଥିଲା ୪୭ କୋଟି
ନିକଟରେ ୪୭ କୋଟିର ଫ୍ଲେକ୍ସି ଜମା ରାଶି ଉଠା ଯାଇଥିଲା
ମାର୍ଚ୍ଚ ମାସ ୧୯ ଓ ୩୦ ତାରିଖରେ ୫୪୫ କୋଟି ଟଙ୍କାର ସ୍ଥାୟୀ ଜମା ରାଶି ପରିପକ୍ୱ ହୋଇଥାନ୍ତା । ହେଲେ ଏହା ପୂର୍ବରୁ ୟେସ୍ ବ୍ୟାଙ୍କରେ ସୃଷ୍ଟି ହୋଇଛି ସଂକଟଜନକ ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ଏକ ମାସ ପର୍ଯ୍ୟନ୍ତ ଜଣେ ଗ୍ରାହକ ମାତ୍ର ୫୦ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ପାରିବେ ବୋଲି କଟକଣା ଜାରି କରିଛନ୍ତି ଆରବିଆଇ ।

ଏସବୁ ଭିତରେ ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଜମା ଅର୍ଥ ଉଠାଣ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିର୍ମଳାଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ । କାରଣ ୟେସ୍ ବ୍ୟାଙ୍କରେ ଜମା ରହିଛି ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ।