କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି  ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ । ଚଳିତଥର ମୋଟ ୨ କୋଟି ୭୯ ଲକ୍ଷରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ୬୭୯୪ ଗ୍ରାମ ପଞ୍ଚାୟତରେ ୯୧,୯୧୩ ୱାର୍ଡରେ ହେବ ଭୋଟ ଗ୍ରହଣ । ଆଉ ୯୧୯୧୩ଟି ବୁଥରୁ ୧୩,୭୮୫ଟି ବୁଥକୁ  ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କେତେ ପ୍ରସ୍ତୁତି କରାଯାଇଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

Advertisment

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ଅପରାହ୍ନ ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ନିଜ ବୁଥରେ ପହଞ୍ଚିବେ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତାରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ପଡିବ ଭୋଟ ।  ପ୍ରଥମ ପର୍ଯ୍ୟାୟରେ ମୋଟ ୨୨,୩୭୯ଟି ବୁଥରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟରେ ମୋଟ ୩୩୫୭ଟି ସମ୍ବେଦନଶୀଳ ବୁଥ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ ।

ତେବେ ଭୋଟ ଦେବାକୁ ପଞ୍ଚାୟତ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ଭୋଟର ତାଲିକାରେ ନାଁ ଥିବା ଜରୁରୀ । ଭୋଟ ପରିଚୟ ପତ୍ର ଦେଖାଇ ଭୋଟର ଭୋଟ ଦେଇପାରିବେ । ଯଦି କାହା ପାଖରେ ଭୋଟ ନଥାଏ ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମୋଦିତ ୧୩ଟି ପ୍ରମାଣପତ୍ରରୁ ଗୋଟିଏ ଦେଖାଇ ମଧ୍ୟ ଭୋଟ ଦେଇପାରିବେ ।  କରୋନା କାଳରେ ନିର୍ବାଚନ ହେଉଥିବାରୁ କଟକଣାକୁ କଡାକଡି କରାଯାଇଛି । ଭୋଟଗ୍ରହଣ କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି ଚଳିତ ନିର୍ବାଚନରେ ୩୭,୨୪୫ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।