କନକ ବ୍ୟୁରୋ : ଗତକାଲିଠାରୁ ଆରମ୍ଭ ହୋଇଛି ରାଜ୍ୟ କ୍ରାଇମବ୍ରାଞ୍ଚର ଅପରେସନ୍ ‘ପରୀ-୨’ ଅଭିଯାନ। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅପହରଣକାରୀଙ୍କ କବଳରୁ ମୁକ୍ତ କରାଯାଇଥିଲା ବେଳେ ଅବଶିଷ୍ଟ ୨୪ଜଣଙ୍କୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବିଭିନ୍ନ ହୋଟେଲ୍ ଓ ଢାବାରେ ଉଦ୍ଧାର କରାଯାଇଛି। ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାରେ ଏହି ଅପରେସନ୍ ସମାନ୍ତରାଳ ଭାବେ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍ ‘ମୁସ୍କାନ୍’ ଓ ‘ସ୍ମାଇଲ’ ଯୋଜନା ପରେ ଏବେ ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଅପରେସନ୍ ‘ପରୀ’ ଅଭିଯାନ ଚାଲିଛି। ଗତ ମେ ୨୮ ରୁ ଜୁନ୍ ୧୨ ତାରିଖ ଅପରେସନ୍ ‘ପରୀ-୧’ ଚାଲିଥିଲା। ଏଥିରେ ରାଜ୍ୟର ବ୍ଲକ ଓ ପଞ୍ଚାୟତ ସ୍ତରରେ ଲୋକମାନଙ୍କ ମଧ୍ୟରେ ନାବାଳିକା ଦୁଷ୍କର୍ମ ବିରୋଧରେ ସଚେତନା ସୃଷ୍ଟି କରିବାକୁ ୧୫ଟି ‘ପରୀ ରଥ’ ଗଡ଼ିଥିଲା।
ଏହି ଯୋଜନା ସଫଳ ହେବା ପରେ ଗତକାଲିଠାରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ଅପରେସନ୍ ‘ପରୀ-୨’ ଶୁଭାରମ୍ଭ ହୋଇଛି। ଜିଲ୍ଲା ପୁଲିସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଅପରେସନ୍ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବିହାର, ଦିଲ୍ଲୀ, କୋଲକତା, ରାଞ୍ଚି, ଗୁଜୁରାଟ ଭଳି ରାଜ୍ୟରେ ଓଡ଼ିଶାର ଅନେକ ନାବାଳକ ଓ ନାବାଳିକା ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି କିମ୍ବା ଓଡ଼ିଶାରୁ ଅପହରଣ ପରେ ରାଜ୍ୟ ବାହାରେ ନିର୍ଯ୍ୟ।ତନା ଦିଆଯାଉଥିବା ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଛି। ସେମାନଙ୍କୁ ଉଦ୍ଧାର ପାଇଁ ଆସନ୍ତା ୧୬ରୁ ୩୦ ତାରିଖ ଯାଏଁ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଗସ୍ତ କରିବ। ଶିଶୁଙ୍କୁ ଉଦ୍ଧାର କରାଯିବା ପରେ ଜିଲ୍ଲା ସ୍ତରରେ ଥିବା ସିଡବ୍ଳୁସିଙ୍କ ନିକଟରେ ହାଜର କରାଯାଇ ବୟାନ ରେକର୍ଡ କରାଯିବା ଏବଂ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Operation-Pari-II-representational-image.jpg)