କନକ ବ୍ୟୁରୋ: ବଳ ଗୋଟାଉଛି କଂଗ୍ରେସ । ଦଳକୁ ଫେରିଛନ୍ତି ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ । ଦୀର୍ଘଦିନ ଧରି ଦଳରୁ ନିଲମ୍ବିତ ହୋଇ ରହିବା ପରେ ମହମ୍ମଦ ମୋକିମ ଓ ଚିରଞ୍ଜିବ ବିଶ୍ୱାଳ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ । ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ୧୫ ଜୁଲାଇ ୨୦୨୩ରେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ୧୯ ଜାନୁଆରୀ ୨୦୧୯ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କୃଷ୍ଣଚନ୍ଦ୍ର ସଗରିଆ ବହିଷ୍କାର ହୋଇଥିଲେ ।

Advertisment

ମହମ୍ମଦ ମୋକିମ । ରାଜ୍ୟ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା । କଟକ-ବାରବାଟୀ ବିଧାୟକ ହୋଇଥିଲେ ମଧ୍ୟ କେବଳ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ନୁହେଁ ତାଙ୍କ ପ୍ରଭାବ । ହେଲେ ଏକ ବିବାଦୀୟ ଘଟଣାକ୍ରମରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କଂଗ୍ରେସ । ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଜାନକୀ-ବସନ୍ତ ଯୋଡି଼, କଂଗ୍ରେସର ସୁବର୍ଣ୍ଣ ଯୁଗ । ଯାହାର ନେତୃତ୍ୱ ନେଇଥିଲେ କଟକ-ବାରବାଟୀ ବିଧାୟକ । ଅଭିଯୋଗ ଅନୁସାରେ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃତ୍ୱ ବିରୋଧରେ ପ୍ରଶ୍ନ ଉଠାଇବା ସହ ଦଳ ପରିଚାଳନାକୁ ନେଇ ପ୍ରଶ୍ନ କରିଥିଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାମ ପାଇଁ ଏମାନଙ୍କ ବିରୋଧରେ ଏଆଇସିସିକୁ ଲେଖିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଶୃଙ୍ଖଳା କମିଟି ନୋଟିସର ସନ୍ତୋଷଜନକ ଉତର ଦେଇନପାରିବାରୁ ନିଲମ୍ବନ ହୋଇଥିଲେ ଉଭୟ ନେତା । ଏବେ ୬ ମାସ ପରେ ନିଲମ୍ବନ ହଟାଇ ଦେଇଛନ୍ତି ନୂଆ ପ୍ରଭାରୀ ।

କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଦଳୀୟ ନେତୃତ୍ୱ ବିରୋଧରେ ଅସନ୍ତୋଷ ଝାଡି ୨୦୧୮ରେ ବିଧାନସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳ ମଧ୍ୟ ତାଙ୍କୁ ବହିଷ୍କାର କରିଥିଲା । ହେଲେ ପ୍ରାୟ ୫ ବର୍ଷ ପରେ କୃଷ୍ଣ ସଗରିଆଙ୍କ ଘର ବାହୁଡା ହୋଇଛି । ଦକ୍ଷିଣ ଓଡିଶାରେ କଂଗ୍ରେସ ଭଲ ସ୍ଥିତିରେ ଥିବା ଦାବି କରୁଛି । ତେଣୁ ଆଗକୁ ୨୦୨୪ ନିର୍ବାଚନରେ ଦଳ ଏହି ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି, ଆଉ ପ୍ରଭାରୀଙ୍କ ସହ ଆଲୋଚନା ପରେ ପୁଣି ଦଳକୁ ଫେରିଛନ୍ତି କୃଷ୍ଣ ସଗରିଆ ।

ଆଗକୁ ଆଉକିଛି ନେତା ଦଳକୁ ଫେରିବା ନେଇ ସଂକେତ ଦେଇଛି କଂଗ୍ରେସ । ସେପଟେ କଳାହାଣ୍ଡିରେ ବୁଧବାର ଏକ ବିଶାଳ ରାଲି ଓ ଜନସଭା କରିବେ ପ୍ରଭାରୀ ଅଜୟ କୁମାର । ଆଗାମୀ ୨୯ରେ ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱରରେ ଏକ ବିଶାଳ ଜନସଭା କରି ଶକ୍ତି ପ୍ରଦର୍ଶନ କରିବ ରାଜ୍ୟ କଂଗ୍ରେସ ।