ପ୍ରଥମ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ୧୦୦ ଦିନରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା

1,659

କନକ ବ୍ୟୁରୋ : ଶପଥ ଗ୍ରହଣ ପରେ ରାଜ୍ୟ ସରକାର ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି । ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟର ମହିଳାମାନଙ୍କୁ ଯେଉଁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଗାମୀ ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଆଗାମୀ ୧୦୦ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ୫୦ ହଜାର ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ ।

ସୂଚନା ଥାଉକି ନିର୍ବାଚନ ବେଳେ ବିଜେପି ତରଫରୁ ରାଜ୍ୟବାସୀଙ୍କୁ ଅନେକଗୁଡିଏ ପ୍ରତିଶ୍ରୁତି ଦିଆଯାଇଥିଲା । ତାହା ମଧ୍ୟରୁ ସୁଭଦ୍ରା ଯୋଜନା ସବୁଠାରୁ ଆକର୍ଷିତ ପ୍ରତିଶ୍ରୁତି ଥିଲା   । ଏନେଇ କୁହାଯାଇଥିଲା କି ଯଦି ରାଜ୍ୟରେ ବିଜେପି ସରକାର ଗଠନ ହୁଏ ତେବେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ । ଯାହା କି ଆଜି ସରକାର ଗଠନ ହେବାର ମାତ୍ର କିଛି ଘଂଟା ମଧ୍ୟରେ କ୍ୟାବିନେଟ ବୈଠକରେ ମୋହର ବାଜିଛି ।