ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ । ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ ନିଷ୍ପତ୍ତିି ଉପରେ ମୋହର  । ପୁରୁଣା ଗାଡି ସ୍କ୍ରାପ କଲେ ଛାଡ ହେବ ଜରିମାନା  ।

721

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମୋହର ବାଜିଛି । ବୈଠକରେ ବକେୟା ମୋଟର ଯାନ ଛାଡ ଓ ରିହାତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବ ଅନୁସାରେ, ଯେଉଁ ଗାଡି ମାଲିକମାନେ ନିଜର ପୁରୁଣା ଗାଡିକୁ ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ କରିବାର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ପ୍ରାୟ ୫୦ ହଜାର ଗାଡି ମାଲିକ ଉପକୃତ ହେବେ । ଯେଉଁମାନେ ଟିକସ ପ୍ରଦାନ କରି ଗାଡି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସଂପୂର୍ଣ୍ଣ ଛାଡ କରିବା ସହିତ ଗାଡିର ବୟସ ଅନୁୟାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ବହୁ ପୁରୁଣା ଯାନ ଗୁଡିକର ମାଲିକମାନେ ସେମାନଙ୍କ ଗାଡିକୁ ସ୍କ୍ରାପ ଓ ପଂଜୀକରଣ ରଦ୍ଦ କରିବାକୁ ଆଗେଇ ଆସିବେ ।

ସେହିଭଳି ଗୋପାଳପୁରରେ ହେବ ଶିଳ୍ପ କରିଡର । ଏଥିପାଇଁ ଇପିସି ଟେଣ୍ଡରକୁ ଅନୁମୋଦନ କରିଛି କ୍ୟାବିନେଟ । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ୧୮ ମାସ ସମୟ ଲାଗିବ । ସେହିଭଳି ଜଟଣୀ ଓ ଭୁବନେଶ୍ୱର ତହସିଲ ଅଧିନରେ ଲିଜ ସୁତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ସେହିଭଳି ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟକୁ ପରିବର୍ତନ ନିମନ୍ତେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ରାଜ୍ୟ ସରାକର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଜରିଆରେ ୱେଲସନ କମ୍ପାନୀ ସମୂହକୁ କଟକର ଚୌଦ୍ୱାର ଓ ସମ୍ବଲପୁରର ନିଲ୍ ଡୁଙ୍ଗରୀଠାରେ ବହୁ ପ୍ରତିକ୍ଷିତ ଶିଳ୍ପ ସମୂହ ପ୍ରତିଷ୍ଠା  ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା ୬୬୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ କାରଖାନା ପ୍ରତିଷ୍ଠା ସହ ୨୦ ହଜାର ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବା ସେହିଭଳି ଓଡିଶା ସାମାଜିକ ସୁରକ୍ଷା ସେବା ବର୍ଗର ପୁନର୍ଗଠନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।