କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ବିଜେପି, ସରକାର ଗଠନ କରିବା ପରେ ଉପସ୍ଥାପନ କରିବାକୁ ଯାଉଛି ପ୍ରଥମ ବଜେଟ୍। ଏହାକୁ ନେଇ ଆଜି ମନ୍ତ୍ରୀ ପରିଷଦ ବୈଠକ ବସିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଠି ପ୍ରସ୍ତାବ ଉପରେ ମୋହର ବାଜିଛି।
ବଜେଟକୁ ନେଇ ତୁହାକୁ ତୁହା ଆଲୋଚନା ପର୍ୟ୍ୟାଲୋଚନା କରୁଛନ୍ତି ମୋହନ ସରକାର। କାରଣ ଏହି ବଜେଟରେ ସରକାରଙ୍କ ପାଇଁ ୨ଟି ବଡ଼ ଚ୍ୟାଲେଂଜ ରହିଛି। ପ୍ରଥମ ଚ୍ୟାଲେଂଜ – ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା, ଦ୍ବିତୀୟ ଚ୍ୟାଲେଂଜ ହେଉଛି – ପୂର୍ବ ସରକାରଙ୍କ ଯୋଜନାଗୁଡିକୁ ଜାରି ରଖିବା।
କୁହାଯାଉଛି, ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ବଡ଼ ବଜେଟ୍ ଆଣିପାରନ୍ତି ମୋହନ ସରକାର। ବଜେଟର ଆକାର ୩ ଲକ୍ଷ କୋଟି ଟଙ୍କା ଛୁଇଁପାରେ ବୋଲି ଚର୍ଚ୍ଚା ହେଉଛି।
ବିଶେଷଜ୍ଞଙ୍କ ମତରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ନୂଆ ସରକାର ଉଦ୍ୟମ କଲେ –
ସୁଭଦ୍ରା ଯୋଜନା ପାଇଁ ଦୁଇ ବର୍ଷରେ ପ୍ରାୟ ୬୫ ହଜାର କୋଟି ଟଙ୍କା ଆବଶ୍ୟକ ହୋଇପାରେ
୩ ହଜାର ଟଙ୍କାକୁ ଭତ୍ତା ବୃଦ୍ଧି କଲେ ଖର୍ଚ୍ଚ ହେବ ୧ ହଜାର କୋଟିରୁ ଅଧିକ
ଏମଏସପି ୩୧୦୦ ଟଙ୍କା ହେଲେ ବଳକା ୮୦୦ ଟଙ୍କା ଦେବେ ରାଜ୍ୟ ସରକାର
ଜୁଲାଇ ୨୩ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ଏଥିରେ ଓଡ଼ିଶା ସମେତ ୬ଟି ରାଜ୍ୟକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଦିଆଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଏପଟେ ୨୫ ତାରିଖରେ ବଜେଟ୍ ଆଗତ କରିବେ ରାଜ୍ୟ ସରକାର। ଅର୍ଥ ବିଭାଗ ନିଜ ପାଖରେ ଥିବାରୁ ବଜେଟ ଉପସ୍ଥାପନ କରିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।