ରାଜ୍ୟ ବିଜେପିର ବଡ଼ ଘୋଷଣା: ସରକାରକୁ ଆସିଲେ ମହିଳାଙ୍କୁ ମାସକୁ ହଜାରେ

134

କନକ ବ୍ୟୁରୋ: ନିର୍ବାଚନରେ ମହିଳାଙ୍କ ଭୋଟ୍ ବେଶ୍ ଗୁରୁତ୍ୱ ବହନ କରେ । ମହିଳାଙ୍କ ଭୋଟ୍ ଯୁଆଡ଼େ ଯିବ, ସେହି ଦଳ ସପକ୍ଷରେ ମତଦାନ ଯିବାର ସମ୍ଭାବନା ଅଧିକ ଥିବା କୁହାଯାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ମହିଳା କାର୍ଡ ଖେଳିବା ଆରମ୍ଭ କରିଛି । ରାଜ୍ୟରେ ବିଜେପି ସରକାରକୁ ଆସିଲେ, ପ୍ରତି ମହିଳାଙ୍କୁ ମାସିକ ୧ହଜାର ଟଙ୍କା ଭତା ପ୍ରଦାନ କରାଯିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରାଜ୍ୟ ବିଜେପି ପୋଷ୍ଟ କରିଛି । ଯାହା ପରେ ରାଜନୈତିକ ଉଷ୍ମତା ବଢ଼ିଛି ।

ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ କିଛି ଏଭଳି ପ୍ରତିଶ୍ରୁତି ଦେଇଛି ରାଜ୍ୟ ବିଜେପି । ବିଜେପି ସରକାରକୁ ଆସିଲେ, ପ୍ରତି ମହିଳାଙ୍କୁ ମାସିକ ମିଳିବ ୧ହଜାର ଟଙ୍କା ଭତା । ରାଜ୍ୟ ବିଜେପି ତା’ର ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ଏହି ପୋଷ୍ଟ କରି ମହିଳା କାର୍ଡ ଖେଳିଛି । ଯଦିଓ ଦଳ ନିର୍ବାଚନୀ ଇସ୍ତାହାର ଘୋଷଣା କରିନାହିଁ, କିନ୍ତୁ ନିର୍ବାଚନ ପୂର୍ବରୁ ଏହି ପ୍ରତିଶ୍ରୁତି ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରିଛି ଦଳ । ଗୋଟିଏ ପଟେ ରାଜ୍ୟରେ ବିଜେଡି ୭୦ଲକ୍ଷ ଏସ୍ଏଚଜି ମହିଳାଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଇ ସେମାନଙ୍କ ଭୋଟ୍ ହାତେଇବାରେ ସକ୍ଷମ ହୋଇଥିବାବେଳେ ବିଜେପି ଏବେ ସେହି ଭୋଟ୍ ଉପରେ ଆଖି ପକାଇଛି ।

ଦୁଇ ଦିନ ତଳେ ଦେବଗଡ଼ରେ ପ୍ରଚାର ବେଳେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ଡବଲ ଇଂଜିନ ସରକାର ହେଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଂକା ଭତ୍ତା । ଯେହେତୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଜେପି ନିର୍ବାଚନ ଇସ୍ତାହାର କମିଟିର ସଦସ୍ୟ ଅଛନ୍ତି, ତେଣୁ ଏହି ବୟାନ ବିଶେଷ ଗୁରୁତ୍ୱ ରଖୁଛି । ଯେତେବେଳେ ବିଜେପିର ଇସ୍ତାହାର ପତ୍ର ପ୍ରକାଶ ପାଇବ, ସେତେବେଳେ ମହିଳାଙ୍କ ପାଇଁ ଏହି ପ୍ରତିଶ୍ରୁତି ସ୍ଥାନ ପାଇବ ବୋଲି କୁହାଯାଉଛି ।

୨୦୨୩ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାକାର ବିଜେପି ସରକାର ମହିଳାଙ୍କ ଲାଗି ‘ଲାଡଲୀ ବେହନା’ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଉପକୃତ ହେଉଛନ୍ତି ୧କୋଟି ୩୧ଲକ୍ଷ ମହିଳା । ୨୯ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ୧୨୫୦ ଟଙ୍କା ଦିଆଯାଉଛି । ଏହି ଯୋଜନା ମଧ୍ୟପ୍ରଦେଶ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା, ଯାହାଦ୍ୱାରା ସେଠାରେ ବିପୁଳ ବିଜୟ ହାସଲ କରିଥିଲା ବିଜେପି । କାରଣ ଏହି ଯୋଜନା ମହିଳା ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିଥିଲା ।