କନକ ବ୍ୟୁରୋ: ନୂଆ ବର୍ଷରେ ବିଜେପିର ନୂଆ ରଣନୀତି । ଯୁଦ୍ଧ ପାଇଁ ପ୍ରଭାରୀଙ୍କ ଆହ୍ୱାନ । ଗତ କିଛି ଦିନ ହେବ ବିଜେଡି ଓ ବିଜେପି ନେତାଙ୍କ ବୟାନବାଜିରୁ ଯାହା ଆକଳନ କରାଯାଉଥିଲା ତାହା ସତ ହୋଇଛି । ବିଜେପି ତାର ରଣନୀତି ପରିବର୍ତନ କରିବା ସହ ବିଜେଡି ସରକାର ବିରୋଧରେ ଜୋରଦାର ଲଢ଼େଇ କରିବାକୁ ଘୋଷଣା କରିଛି । ବିଜେପି କ୍ଷେତ୍ରୀୟ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ପଦାଧିକାରୀ ବୈଠକରେ ଲଢ଼େଇ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଜେପି ସଂକଳ୍ପ ନେଇଛି ଗାଁ ଗାଁ, ଘରୁ ଘରୁ ହେବ ହିସାବ ନିକାସ । କଣ କହିଥିଲେ ସରକାର ଓ କଣ କରିଛନ୍ତି ସରକାର ? ଏନେଇ ଲୋକଙ୍କ ସହ ଆଲୋଚନା କରିବେ ବିଜେପି ନେତା ଓ କର୍ମୀ ।
ରାଜ୍ୟରେ ଦୀର୍ଘ ୨୩ବର୍ଷ ହେଲା ଶାସନରେ ଥିବା ଶାସକ ଦଳ ବିଜେଡିକୁ କେମିତି ମାତ ଦେଇ ହେବ ସେଥିପାଇଁ ବୈଠକରେ ସ୍ୱତନ୍ତ୍ର ରଣନୀତି କରିଛନ୍ତି ବିଜେପି ନେତା । ବିଶେଷକରି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ୨୦୨୪ ବିଜୟ ପାଇଁ ରାଜ୍ୟ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି । କହିଛନ୍ତି,
ସୁନୀଲଙ୍କ ଗୁରୁମନ୍ତ୍ର
- ବିଜେଡି ସହ ୱାନ-ଟୁ-ୱାନ ଫାଇଟ୍ ହେବ
- ବିଜେଡି ସହ ଆମର କୌଣସି ମେଣ୍ଟ ନାହିଁ କି ସାଲିସ୍ କରିବାର ନାହିଁ
- ବିଜେପି – ବିଜେଡିର ସମ୍ପର୍କକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କର
- ପ୍ରତି ବୁଥରେ ୫୦ପ୍ରତିଶତ ଭୋଟ୍ ଟାର୍ଗେଟ
- ୪ମାସ ଭିତରେ କୋଟିଏ ପରିବାର ପାଖରେ ପହଁଚ
- ଜଣେ କାର୍ଯ୍ୟକର୍ତ୍ତାଙ୍କୁ ୧୦ ପରିବାରର ଦାୟିତ୍ୱ
- ବୁଥ ମଜଭୁତ୍ କଲେ ବିଧାନସଭା ଜିତିପାରିବ
ବିଜେପିର ନୂଆ ରଣନୀତିକୁ ନେଇ ନେତା ଓ କର୍ମୀ ଉତ୍ସାହିତ ଥିବାବେଳେ, ବିଜେଡି ଓ କଂଗ୍ରେସ ଏହାକୁ ପ୍ରଭାବଶୂନ୍ୟ ବୋଲି କହିଛନ୍ତି । ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି । ୨୦୨୪ ଲଢ଼େଇ ପାଇଁ ସଜ ହେଉଛନ୍ତି । ହେଲେ କାହା ରଣନୀତି ରାଜ୍ୟବାସୀଙ୍କୁ ପ୍ରଭାବିତ କରୁଛି ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ ।