ଶାହାଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତା: ଦେଲେ ବିଜେପିର ଷ୍ଟାଟସ ରିପୋର୍ଟ

392

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟକୁ ନେଇ ୮ଦିନ ହେଲା ଚର୍ଚ୍ଚା ହେଉଛି । କିନ୍ତୁ ବାସ୍ତବରେ ମେଂଟ ହେବ ନା ନାହିଁ ଏହାକୁ ନେଇ ପ୍ରକୃତ ଚିତ୍ର ସ୍ପଷ୍ଟ ହେଉନି । ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ ବୋଲି ଦୁଇ ଦଳର ନେତା କହୁଛନ୍ତି । ହେଲେ, କେବେ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ତାହା କାହାକୁ ଜଣାନାହିଁ । ଆଉ ଏତିକିବେଳେ, ଦିଲ୍ଳୀରେ ଅମିତ୍ ଶାହାଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ବୈଠକ ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି । ଖୁବ ଶୀଘ୍ର ବଡ ଖବର ଆସିପାରେ ବୋଲି କୁହାଯାଉଛି ।

ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ବିଜେପିର ଚାଣକ୍ୟ କୁହାଯାଉଥିିବା ଅମିତ୍ ଶାହାଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନସ ମହାନ୍ତି ଓ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାର, ଶାହାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ଏହି ସମୟରେ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବା ସହ ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ତେବେ ଅମିତ୍ ଶାହାଙ୍କ ସହ ବିଜେପି ନେତାମାନେ କଣ ଆଲୋଚନା କରିଛନ୍ତି ତାହା ଜଣାପଡିନି । ହେଲେ, ଶାହଙ୍କୁ ରାଜ୍ୟ ବିଜେପି ନେତାମାନେ ଭେଟିବା ପରେ ଖୁବଶୀଘ୍ର ବଡ ଖବର ଆସିପାରେ ବୋଲି କୁହାଯାଉଛି ।

ଦୁଇ ଦଳର ଶୀର୍ଷ ନେତୃତ୍ୱ ଅସମ୍ଭବ ନୀରବତା ଅବଲମ୍ବନ କରୁଥିବାରୁ ମେଂଟ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ଗୋଳିଆ କରିଛି । ବିଶେଷକରି ମେଂଟକୁ ନେଇ ରାଜ୍ୟ ବିଜେପି ନେତାଙ୍କ ବୟାନ ଓ ତାର କିଛି ସମୟ ପରେ ଦିଲ୍ଲୀରୁ ଡାକରା ଆସିବା, ଗତ ତିନି ଦିନ ହେଲା ଦିଲ୍ଲୀରେ ଡେରା ପକାଇବା ଓ ଘନ ଘନ ବୈଠକ ହେବା ମେଂଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଦିନେ ଦୁଇ ଦିନ ଭିତରେ ପୂରା ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି କୁହାଯାଉଛି । ଏପଟେ ଉଭୟଦଳର ବିଧାୟକଙ୍କ ବୟାନରୁ ସ୍ପଷ୍ଟ ହେଉଛି, ଶୀର୍ଷ ନେତୃତ୍ୱ ହିଁ ମେଂଟର ଚୂଡାନ୍ତ ନିଷ୍ପତି ନେବେ ।

ଗୋଟିଏ ପଟେ ଦିଲ୍ଲୀରେ ବିଜେପିର ବୈଠକ ବସିଥିବାବେଳେ, ଗୁରୁବାର ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ବିଜେଡିର ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗ ଦେବାକୁ ନିର୍ଦେଶ ଦିଆଯାଇଛି । ବୈଠକରେ ଦଳର ଆଭିମୁଖ୍ୟ, ରଣନୀତି ନେଇ ବିସ୍ତୃତ ଭାବେ ଆଲୋଚନା କରିବେ ସୁପ୍ରିମୋ । କୁହାଯାଉଛି, ମେଂଟକୁ ନେଇ ବିଜେଡି ନେତାଙ୍କ ଭିତରେ ଯେଉଁ ଦ୍ୱନ୍ଦ୍ୱ ରହିଛି, ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ରଖିବେ ।