କନକ ବ୍ୟୁରୋ : କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଗରିବ ପରିବାରଗୁଡ଼ିକୁ ଉପଯୁକ୍ତ ଆର୍ଥିକ ସହାୟତା ଦେବା ଲାଗି ‘ପୋଷ୍ୟ ପରିବାର’ ସ୍କିମ୍ ଘୋଷଣା କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହି ସ୍କିମ୍ କିଭଳି ଲାଗୁ କଲେ ସଫଳତା ମିଳିବେ ତାହା ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଜଣାଇଛି । ପ୍ରସ୍ତାବ ଅନୁସାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାର୍ଷିକ ଆୟ କରୁଥିବା ଧନୀ ଟିକସଦାତାମାନେ ଗୋଟିଏ ଲେଖାଏଁ ଗରିବ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ସେହି ପରିବାରକୁ ସେମାନେ ମାସକୁ ୫୦୦୦ ଟଙ୍କା ଦେବେ । ଏଭଳି ଭାବେ ବର୍ଷକୁ ଗରିବ ପରିବାରଟି ୬୦ ହଜାର ଟଙ୍କା ପାଇପାରିବ । ସରକାରଙ୍କୁ ଏଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ କିମ୍ବା ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ ନାହିଁ ବୋଲି ଏସ୍ବିଆଇ ଇକୋରାପ୍ ରିପୋର୍ଟରେ କୁହାଯାଇଛି ।
ଏହି ସ୍କିମ୍କୁ ଇଚ୍ଛାଧୀନ ରଖିବାକୁ କୁହାଯାଇଛି । ମାତ୍ର ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଯଦି ଟିକସଦାତାମାନଙ୍କୁ ପ୍ରୋତ୍ସାହନ ଦିଆନଯିବ ତେବେ ଏହି ସ୍କିମ୍ ସଫଳ ହେବ ନାହିଁ । ରିପୋର୍ଟରେ କୁହାଯାଇଛି ଯେ ଏଲ୍ପିଜି ଗିଭ୍ ଅପ୍ ସ୍କିମ୍ ଇଚ୍ଛାଧୀନ ଥିଲା । ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କୁ ଏଲ୍ପିଜି ସବ୍ସିଡି ପରିହାର କରିବାକୁ କୁହାଯାଇଥିଲା । ପ୍ରାୟ ୩୦ କୋଟି ଟିକସଦାତା ସବ୍ସିଡି ପରିହାର କରିବାକୁ ଯୋଗ୍ୟ ଥିଲେ। ବହୁ ପ୍ରଚାର ସତ୍ତ୍ବେ ଅତିବେଶିରେ ୧ କୋଟି ଲୋକ ଏଲ୍ପିଜି ସବ୍ସିଡି ଛାଡ଼ିଛନ୍ତି । ତେଣୁ ଏହି ସ୍କିମ୍ରେ ରହିଥିବା ତ୍ରୁଟିକୁ ନଦୋହରାଇ ଟିକସଦାତାମାନଙ୍କୁ ପ୍ରୋତ୍ସାହନ ଦେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।
ଷ୍ଟେଟ୍ ବ୍ୟାଙ୍କ ବୁଝାଇବାକୁ ପ୍ରୟାସ କରିଛି ଯେ ଦେଶରେ ୭୦ ଲକ୍ଷ ଟିକସଦାତା ଅଛନ୍ତି ଯେଉଁମାନଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ। ଯଦି ଏହି ସ୍କିମ୍ ୧୦ ପ୍ରତିଶତ ସଫଳ ହେବ ତେବେ ୭ ଲକ୍ଷ ପରିବାର ବା ୨୮ ଲକ୍ଷ ପରିବାର ସଦସ୍ୟ ଏହା ଦ୍ବାରା ଉପକୃତ ହେବେ। ଟିକସଦାତାଙ୍କୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କୁ ଆୟକର ନିୟମର ୮୦ସିରେ ମିଳୁଥିବା ଛାଡ଼ ଉପରେ ଆଉ ୫୦ ହଜାର ଟଙ୍କାର ଲାଭ ଦେବାକୁ ପଡ଼ିବ। ଏହି ସୁବିଧା ଦେଲେ ସରକାର ବର୍ଷକୁ ୧୦୫୦ କୋଟି ଟଙ୍କା ହରାଇବେ। ମାତ୍ର ଯଦି ୭ ଲକ୍ଷ ପରିବାରକୁ ସରକାର ବାର୍ଷିକ ୫୦ ହଜାର ଟଙ୍କାର ସହାୟତା ଦେଇଥାନ୍ତେ ତେବେ ସେ ବାବଦରେ ସରକାରଙ୍କୁ ଯଥେଷ୍ଟ ଅଧିକ ଅର୍ଥାତ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା।