୨ଲକ୍ଷ ତଳକୁ ଖସିଲା ଦେଶରେ କରୋନା ସକ୍ରିୟ ମାମଲା । ରାଜ୍ୟରେ ବି କମୁଛି ସଂକ୍ରମଣ

129

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ୨ ଲକ୍ଷ ତଳକୁ ଖସିଛି ସକ୍ରିୟ ମାମଲା । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧ ଲକ୍ଷ ୯୫ ହଜାର ୮୪୬ । ବର୍ତମାନ ଦେଶର ସକ୍ରିୟ ମାମଲା ମୋଟ୍ ମାମଲାର ୧ ପ୍ରତିଶତରୁ କମ୍ । ଏବେ ଦେଶରେ ସକ୍ରିୟ ମାମଲା ଶୂନ ଦଶମିକ ୫୭ ପ୍ରତିଶତ ରହିଛି । ଯାହାକି ମାର୍ଚ୍ଚ ୨୦୨୦ ପରେ ସବୁଠୁ କମ୍ । ସେହିପରି ୭ ମାସ ଅର୍ଥାତ୍ ୨୨୯ ଦିନ ପରେ ସବୁଠୁ କମ୍ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଛି । ଗତ ୨୪ ଘଂଟାରେ ୧୪ ହଜାର ୧୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦିନକରେ ଆଉ ୧୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏବେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୨ ହଜାର ୧୨୪କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଆଉ ୧୯ ହଜାର ୭୮୮ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର ୯୮ ଦଶମିକ ୧୦ ପ୍ରତିଶତ ରହିଛି । ମୋଟ୍ ୩ କୋଟି ୩୪ ଲକ୍ଷ ୧୯ ହଜାର ୭୪୯ ଜଣ କରୋନାରୁ ଆରୋଗ୍ୟ ହୋଇସାରିଲେଣି ।
ସେହିପରି ଗତ ୨୪ ଘଂଟା ଭିତରେ ରାଜ୍ୟରେ ୪୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୫୮ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୮୫ । ୧୮ ବର୍ଷରୁ କମ୍ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୪୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୭, ମୟୂରଭଂଜରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭ ରହିଛି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୧ ହଜାର ୭୪୨ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪ ହଜାର ୯୯୭ଜଣ । ୨୪ ଘଂଟାରେ ୩ଜଣଙ୍କ ମୃତ୍ୟୁ ହୋଇଛି ।