ଚାନ୍ଦିପୁର ଗୁପ୍ତଚରଙ୍କ ସାଂଘାତିକ ସତ । ଦୁବାଇରୁ ଆସୁଥିଲା ଟଙ୍କା, ଯାଉଥିଲା ତଥ୍ୟ ।

257

କନକ ବ୍ୟୁରୋ : ଚାନ୍ଦିପୁରରୁ ଦୁବାଇ । କ୍ଷେପଣାସ୍ତ୍ର ଘାଟିରେ ଗୁଇନ୍ଦାଗିରି ନେଇ ଚାଲିଥିବା ତଦନ୍ତରୁ ଏଭଳି ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ ପାଇଛି କ୍ରାଇମବ୍ରାଂଚ । ସୁନ୍ଦରୀ ଝିଅଙ୍କ ସୋସିଆଲ ମିଡିଆ ଆକାଉଂଟ ଜାଲରେ ଫସି ଗୁପ୍ତଚରୀ କରୁଥିବା ବ୍ୟକ୍ତିଙ୍କ ଆକାଉଂଟକୁ ଦୁବାଇରୁ ଆସିଥିଲା ଟଙ୍କା । ସୂଚନା ଅନୁସାରେ ଭାରତୀୟ ସେନାର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହ୍ମୋସର କିଛି ତଥ୍ୟ ପ୍ରତିପକ୍ଷଙ୍କ ହାତକୁ ଯାଇଥାଇପାରେ । ଯଦିଓ ଏନେଇ ଅଧିକାରୀ ସ୍ତରରେ କେହି ମୁହଁ ଖୋଲୁନାହାନ୍ତି ହେଲେ ଭାରତୀୟ ବାୟୁସେନାର ଏକ ଟିମ୍ କଟକରେ ପହଞ୍ଚି ତଦନ୍ତ ଆଗକୁ ବଢାଇଛି ।

ଚାନ୍ଦିପୁର ଗୁପ୍ତଚରଙ୍କ ସାଂଘାତିକ ସତ । ଦୁବାଇରୁ ଆସୁଥିଲା ଟଙ୍କା, ଯାଉଥିଲା ତଥ୍ୟ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ନେଇ ଗୁପ୍ତଚରଙ୍କ କାରନାମା ଧିରେ ଧିରେ ସାମ୍ନାକୁ ଆସୁଛି । ଟଙ୍କା ନେଇ ବିକ୍ରି ହୋଇଛି ସାଂଘାତିକ ତଥ୍ୟ । ଅଭିଯୁକ୍ତ ସହ ଟଙ୍କା କାରବାରର ମିଳିଛି ପ୍ରମାଣ । ଦୁବାଇରୁ ଚାନ୍ଦିପୁର । ସୋସିଆଲ ମିଡିଆରେ ସମ୍ପର୍କ ହେବା ପରେ ଅଭିଯୁକ୍ତଙ୍କ ନିକଟକୁ ଦୁବାଇରୁ ଆସିଥିଲା ଟଙ୍କା । ଦୁଇଟି କିସ୍ତିରେ ଜଣେ ଅଭିଯୁକ୍ତଙ୍କ ଆକାଉଂଟରେ ଜମା ହୋଇଛି ୩୮ହଜାର ଟଙ୍କା । ସୂଚନା ଅନୁସାରେ, ପ୍ରଥମେ ଫୋନରେ ଯୋଗାଯୋଗ ପରେ ଟଙ୍କା ଆସୁଥିଲା । ମହିଳା ଜଣକ ୟୁକେର ଏକ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ ।

ପାକିସ୍ତାନୀ ଏଜେଂଟ ଲିଙ୍କରେ ଗିରଫ ୫ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚର ଅଧିକାରୀମାନେ ଗୁଡାଇ ତୁଡାଇ ପ୍ରଶ୍ନ କରୁଛନ୍ତି । ଆଉ ଜେରାବେଳେ ଟଙ୍କା କାରବାର ଓ ପାକିସ୍ତାନ ଏଜେଂଟ ସହ ଲିଙ୍କ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ତଦନ୍ତକାରୀ ସଂସ୍ଥା ।

କ୍ରାଇମବ୍ରାଂଚ ଏଡିଜି ଗିରଫ ୫ ଠିକା କର୍ମଚାରୀଙ୍କ ବାବଦରେ ଯେଉଁ ସୂଚନା ଦେଇଛନ୍ତି ତାହା ଚମକାଇଦେଲା ଭଳି ।
– ଜଣେ ମହିଳା ଅପରେଟିଭ ଫେସବୁକରେ ଫେକ୍ ଆକାଉଂଟ ଖୋଲି ଚାଟ କରୁଥିଲେ
– ହ୍ୱାଟ୍ସଆପରେ ଅଭିଯୁକ୍ତଙ୍କ ସହ ଚାଲିଥିଲା ଚାଟିଂ
– ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହ୍ମୋସ ତଥ୍ୟ ଉପରେ ଥିଲା ନଜର
– ଅନ୍ୟ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ବି ଲାଗିଛି ପାକିସ୍ତାନ ହାତରେ

ଏହି ଆଶଙ୍କାରେ ଚାନ୍ଦିପୁର ଗୁପ୍ତଚରଙ୍କୁ ଜେରା କରିବା ପାଇଁ କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ପହଞ୍ଚିଛି ଭାରତୀୟ ବାୟୁସେନାର ଏକ ୩ ଜଣିଆ ଟିମ୍ । ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ ୫ ଜଣଙ୍କ ଟେଲିଫୋନର ଫୋରେନସିକ ଆନାଲିସସ ହେବ । ଅନ୍ୟ କେଉଁଠୁ ଟଙ୍କା ଆସିଛି ତାର ବି ଖୋଳତାଡ ହେବ । ଏଠାରେ ପ୍ରଶ୍ନ ଉଠୁଛି, ଟଙ୍କା କଣ କେବଳ ଜଣେ ଅଭିଯୁକ୍ତଙ୍କ ପାଖକୁ ଆସିଥିଲା ? ଅନ୍ୟ ଅଭିଯୁକ୍ତଙ୍କ ଆକାଉଣ୍ଟ ଉପରେ ଅନୁଧ୍ୟାନ ହେଉଛି ତ ? ଏତେ କମ ଟଙ୍କାରେ ତଥ୍ୟ ଲିକ୍ ପାଇଁ ଅଭିଯୁକ୍ତ ରାଜି ହୋଇଥିଲେ କିଭଳି ? ଚାନ୍ଦିପୁର ଗୁପ୍ତଚରୀ ପ୍ରସଙ୍ଗରେ ମେରଟ୍ ଲିଙ୍କ କଣ ? ଆଉ କେହି ବ୍ୟକ୍ତି ଏହି ରାକେଟ ପଛର ମାଷ୍ଟରମାଇଣ୍ଡ କି ? ବାୟୁସେନାର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଂଚ ଓ ଏନଆଇଏ ସତ ଓଗାଳିବାକୁ ପ୍ରୟାସ ଚଳାଇଛନ୍ତି ।