କନକ ବ୍ୟୁରୋ : ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସଆଇ ସତ୍ୟପାଠ ଦାଖଲ କରିଛି । ପ୍ରତ୍ନତତ୍ୱ ବିଭାଗର ସତ୍ୟପାଠ ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ରିପୋର୍ଟରେ କୁହାଯାଇଛି, ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମନ୍ଦିର ପାଖରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ଦିଆଯାଇନାହିଁ । ସେହିପରି ସରକାର ଅନୁମତି ମାଗିବା ବେଳେ ଯେଉଁ ଡିଜାଇନ ଦେଇଥିଲେ ପ୍ରକଳ୍ପ ତିଆରି ବେଳେ ସେଥିରେ ପରିବର୍ତନ କରି ଦେଇଛନ୍ତି । ସେହିପରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖନନ ପାଇଁ ଶ୍ରୀନ୍ଦିରକୁ କ୍ଷତି ପହଁଚିଥାଇପାରେ ବୋଲି ପ୍ରତ୍ନତତ୍ୱ ବିଭାଗ ସତ୍ୟପାଠରେ ସଂକେତ ଦେଇଛି ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣ ଓ ଖନନ କାମକୁ ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥାର ଆଭିମୁଖ୍ୟ କଣ ରହିବ, ତା ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏଏସଆଇ ଯେଉଁ ତଥ୍ୟ ଦେଇଛି ତାହା ଅତି ସାଂଘାତିକ । ପ୍ରଥମେ ନଜର ପକାନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ଯୁଗ୍ମ ଅନୁଧ୍ୟାନ କରିବା ପରେ କୋର୍ଟରେ କ’ଣ କହିଛି ଏଏସଆଇ ?

ହାଇକୋର୍ଟରେ ଏଏସଆଇର ସତ୍ୟପାଠ

- ଓଡ଼ିଶା ବ୍ରିଜ କନଷ୍ଟ୍ରକସନ୍ କର୍ପୋରେସନ୍- ଓବିସିସିର ଖନନ ଓ ମାଟିଉଠା ଫଳରେ ଐତିହ୍ୟ ସ୍ଥଳକୁ କ୍ଷତି ପହଂଚି ଥାଇପାରେ

- ଜାତୀୟ ସ୍ମାରକୀ ପ୍ରାଧିକରଣ- ଏନଏମଏକୁ ଦେଖା ଯାଇଥିବା ଡିଜାଇନ ଓ ପରିବର୍ତ୍ତିତ ଡିପିଆରକୁ ବଦଳାଇ ଦିଆଯାଇଛି

- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହେଉଥିବା ନିର୍ମାଣ କାମକୁ କୌଣସି ପ୍ରକାର ଅନୁମତି କିମ୍ବା ଏନଓସି ଦିଆଯାଇନାହିଁ

ହାଇକୋର୍ଟରେ ଏଏସଆଇ ଦେଇଥିବା ସତ୍ୟପାଠରୁ ଜଣାପଡୁଛି ଯେ, ଏନଏମଏରୁ ଏନଓସି ଆଣିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କାମର ଡିଜାଇନକୁ ବଦଳାଇ ଦିଆଯାଇଛି । ଐତିହ୍ୟ ସ୍ଥଳର ପ୍ରତିବନ୍ଧିତ ଅଂଚଳରେ ଏଭଳି ନିର୍ମାଣ ପାଇଁ କୌଣସି ଅନୁମତି ମଧ୍ୟ ନିଆଯାଇ ନାହିଁ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ ନିର୍ମାଣ ଓ ଖନନ କାମର ଯୁଗ୍ମ ଅନୁଧ୍ୟାନ କରିବାକୁ ଏଏସଆଇକୁ କହିଥିଲେ ହାଇକୋର୍ଟ । ଶ୍ରୀମନ୍ଦିର ପ୍ରତି ଏହା ବିପଦ ସୃଷ୍ଟି କରୁଛି ନା ନାହିଁ ସତ୍ୟପାଠ ଆକାରରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏଏସଆଇ ଆଂଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପୁରୀରେ ପହଂଚି ଉଭୟ ପ୍ରତିବନ୍ଧିତ ଓ ନିୟନ୍ତ୍ରିତ ଅଂଚଳରେ ଚାଲିଥିବା ନିର୍ମାଣ କାମକୁ ବୁଲି ଦେଖିଥିଲେ । ସେନେଇ କୋର୍ଟଙ୍କୁ ଜଣାଇଛି ଭୁବନେଶ୍ୱର ସ୍ଥିତ ଏଏସଆଇର ଆଂଚଳିକ କାର୍ଯ୍ୟାଳୟ ।

ହାଇକୋର୍ଟରେ ଏଏସଆଇର ସତ୍ୟପାଠ

- ଶ୍ରୀମନ୍ଦିରର ପ୍ରତିବନ୍ଧିତ ଓ ନିୟନ୍ତ୍ରିତ ଅଂଚଳରେ ଚାଲିଥିବା ଶୌଚାଳୟ, ଆଶ୍ରୟସ୍ଥଳ, ଜିନିଷପତ୍ର ରଖିବା କକ୍ଷ, ଅଭ୍ୟର୍ଥନା କକ୍ଷ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିର୍ମାଣ ପାଇଁ କୌଣସି ଅନୁମତି ନିଆଯାଇ ନାହିଁ

- ୧୫ ଜୁଲାଇ ୨୦୨୧ରେ ଏନଏମଏକୁ ଦିଆଯାଇଥିବା ଡିଜାଇନ ଏବଂ ୧୭ ଅଗଷ୍ଟ ୨୦୨୧ରେ ଉପସ୍ଥାପନ କରାଯାଇଥିବା ଡିଜାଇନକୁ ବାରମ୍ବାର ବଦଳା ଯାଇଛି

- ପରିବର୍ତ୍ତିତ ଡିଜାଇନରେ ଅତିରିକ୍ତ ପ୍ରକଳ୍ପ ଯୋଡି ଦିଆଯାଇଛି ଏବଂ ଅନେକ ପ୍ରକଳ୍ପର ଉଚ୍ଚତାକୁ ମଧ୍ୟ ବଢାଇ ଦିଆଯାଇଛି

- ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷକୁ ପ୍ରତିବନ୍ଧିତ ଅଂଚଳରୁ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଥିବାବେଳେ ଏଥିପାଇଁ ପ୍ରତିବନ୍ଧିତ ଅଂଚଳର ଦକ୍ଷିଣ-ପୂର୍ବରେ ନିଅଁ ଖୋଳା ସରିଛି

- ବିଭିନ୍ନ ସ୍ଥାନରେ ୧୫ରୁ ୨୦ ଫୁଟ୍ ଖୋଳା ଯାଇଥିବାବେଳେ ଏହା ଐତିହ୍ୟ ସ୍ଥଳ ପ୍ରତି ବିପଦ ସୃଷ୍ଟି କରିପାରେ ଏବଂ ଏହାକୁ ଭରଣା ମଧ୍ୟ କରାଯାଇ ପାରିବନି

ଏଏଏସଆଇର ସତ୍ୟପାଠ ଉପରେ ଆଗାମୀ ୨୦ ଜୁନ୍ ସୁଦ୍ଧା ରାଜ୍ୟ ସରକାର କୋର୍ଟରେ ଉତର ରଖିବେ ବୋଲି ଜଣାପଡିଛି । ତେବେ ସେ ପର୍ଯ୍ୟନ୍ତ ନିର୍ମାଣ କାମ ଉପରେ କୌଣସି ରୋକ ଲଗାଇ ନାହାନ୍ତି ହାଇକୋର୍ଟ । ୨୨ ଜୁନ୍ରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।