ଅପେକ୍ଷାର ଘଟିଲା ଅନ୍ତ । କରୋନା ଟିକାକୁ ନେଇ ଥିବା ଅପେକ୍ଷାର ଅନ୍ତ ଘଟାଇ ଋଷ ଆରମ୍ଭ କଲା ସାର୍ବଜନୀନ ଟିକାକରଣ । ଡାକ୍ତର, ଶିକ୍ଷକ ଓ ବୟସ୍କଙ୍କୁ ଅଗ୍ରାଧିକାର ।

829

କନକ ବ୍ୟୁରୋ : ଦୀର୍ଘ ୮ ମାସର ପ୍ରତିକ୍ଷାର ଅନ୍ତ ଘଟାଇ ସାର୍ବଜନୀନ ଟିକାକରଣ ଆରମ୍ଭ କରିଛି ଋଷ । ବିଶ୍ୱର ପ୍ରଥମ ଦେଶ ଭାବେ ଋଷ ଦେଶର ନାଗରିକ ମାନଙ୍କୁ ଟିକା ଦେଉଥିବା ଦେଖିବାକୁ ମଳିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଡାକ୍ତର, ଶିକ୍ଷକ ଓ ବୟସ୍କ ମାନଙ୍କୁ ଏହି ଟିକା ଦିଆଯାଉଥିବା ସୂଚନା ମିଳିଛି । ଏମାନଙ୍କୁ ଟିକା ଦିଆ ସରିବା ପରେ ଅନ୍ୟମାନଙ୍କୁ ଟିକା ଦିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି । ଅନ୍ୟପଟେ ଋଷରେ ନିର୍ମିତ ‘ସ୍ପୁଟନିକ୍- ଭି’ ର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇନଥିବା ବେଳେ ଟିକାକରଣ ଆରମ୍ଭ କରିଥିବାରୁ ଏହାକୁ ନେଇ ବିଶେଷଜ୍ଞ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ଏହି ଟିକା କରୋନା ସଂକ୍ରମଣ ରୋକିବାରେ କେତେ ସଫଳ ହେବ ତାହା ତ ସମୟ କହିବ ହେଲେ ଶେଷ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ଲୋକମାନଙ୍କୁ ଏହି ଟିକା ଦିଆଯାଉଥିବାରୁ ଏହା ଘାତକ ହେଲେ କିଏ ଦାୟୀ ରହିବ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ସେହିଭଳି ବ୍ରିଟେନ୍ ଓ ବାହାରିନ ଭଳି ରାଷ୍ଟ୍ର ଫାଇଜର ଟିକାକୁ ଅନୁମତି ପ୍ରଦାନ କରିଥିବାରୁ ଏହି ଦେଶମାନେ ଖୁବଶୀଘ୍ର ଟିକାକରଣ ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି । ସଦ୍ୟ ମଳିଥିବା ଖବର ମୁତାବକ ଫାଇଜର କମ୍ପାନୀ ଭାରତରେ ଟିକାକରଣ କରିବାକୁ ଭାରତ ସରକାରଙ୍କୁ ଅନୁମତି ମାଗିଛି ।