ଗୋଟିଏ ଏକର ଜମିରୁ ମିଳିବ ୬ ଲକ୍ଷ ପର୍ଯ୍ୟନ୍ତ ଲାଭ, ସରକାରୀ ସହାୟତା ବି ନେଇପାରିବେ ଚାଷୀଭାଇ

234

କନକ ବ୍ୟୁରୋ : ଏବେ କରୋନା ମହାମାରୀ ପରେ ଦେଶରେ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବେସରକାରୀ କ୍ଷେତ୍ରରେ କାମ କରୁଥିବା ଅନେକ ଲୋକ ଏବେ ଚାକିରୀ ହରାଇ ବେକାର ହୋଇଛନ୍ତି । ତା ଭିତରେ ଅନେକ ଲୋକ ଏବେ କାମ ଅନ୍ୱେଶଣରେ ଥିବା ବେଳେ କିଛି ଲୋକ ସେମାନଙ୍କର ପାରମ୍ପାରିକ ବୃତ୍ତି କୃଷି କ୍ଷେତ୍ରକୁ ଆପଣାଇ ନେଉଥିବା ଦେଖିବାକୁ ମିଳିଛି । ହେଲେ କୃଷିକ୍ଷେତ୍ରରେ ଯଦି ଆପଣ କିଛି ନୂଆ ନକରିବେ ତେବେ ସେଥିରୁ ଲାଭବାନ ହେବା ବଡ କଷ୍ଟ ।

ଏହାରି ମଧ୍ୟରେ ଆମେ ଆପଣଙ୍କୁ ଏମିତି ଏକ ଚାଷ ବାବଦରେ କହିବାକୁ ଯାଉଛୁ ଯାହା ଚାଷକରି ଆପଣ ବିନିଯୋଗ ଅର୍ଥର ୫ ଗୁଣା ଲାଭ ପାଇପାରିବେ । ଯାହାକି ଅନ୍ୟ ଚାଷରେ ସମ୍ଭବ ହୋଇପାରି ନଥାଏ । ଏହି ଚାଷ ପାଇଁ ଆପଣଙ୍କୁ ବହୁ ଜମିର ଆବଶ୍ୟକତା ପଡିବ ନାହିଁ । ଏହାସହ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ ଆପଣଙ୍କୁ ସରକାରୀ ସହାୟତା ବି ମିଳିପାରିବ ।

ଆମେ ଆପଣଙ୍କୁ କହୁଛୁ ଔଷଧୀୟ ବୃକ୍ଷ ମିଠା ତୁଳସୀ ବା ଷ୍ଟେଭିଆ ଚାଷ କଥା । ଏହା ଏକ କାର୍ବୋହାଇଡ୍ରେଡ ଶୂନ୍ୟ ପତ୍ର । ଯାହାକୁ ମଧୁମେହ ରୋଗୀମାନେ ନିଶ୍ଚିନ୍ତରେ ବ୍ୟବହାର କରିପାରିବେ । ଦେଶରେ ଏବେ ଯେଭଳି ଭାବେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ଚାଷ ଓ ଚାଷୀର ଭବିଷ୍ୟତ ଯେ ନିଶ୍ଚିତ ଭଲ ହେବ ତାହା ନିସନ୍ଦେହ । ଏହା ଚିନୀର ବିକଳ୍ପ ଭାବେ ମଧୁମେହ ରୋଗୀ ବ୍ୟବହାର କରିପାରିବେ ।

ଆପଣ ଗୋଟିଏ ଏକର ଜମିରେ ଯଦି ଷ୍ଟେଭିଆ ବା ମିଠା ତୁଳସୀ ଚାଷ କରିବାକୁ ଚାହୁଁଛନ୍ତି ତେବେ ଏକ ଏକର ଜମିରେ ଆପଣ ୪୦ ହଜାର ମିଠା ତୁଳସୀର ଚାରା ଲଗାଇ ପାରିବେ । ପାଖା ପାଖି ୬ ମାସ ପରେ ଆପଣ କେବଳ ଗଛର ପତ୍ର ବିକ୍ରି କରିବାକୁ ସକ୍ଷମ ହେବେ । ଏହାସହ ଏହାକୁ ରିଫାଇନ କରୁଥିବା କମ୍ପାନୀକୁ ବିକ୍ରି କରିବାକୁ ଚାହିଁଲେ ଆପଣ ଗଛ ବି ବିକ୍ରି କରିପାରିବେ । ଏହି ଗଛର ସର୍ବାଧିକ ଉଚ୍ଚତା ୬୦-୭୦ ସେମି ପର୍ଯ୍ୟନ୍ତ ହୋଇଥିବାରୁ ବାତ୍ୟା ଓ ପବନକୁ ଭୟ ବି ନାହିଁ । ଏହି ଗଛର ପତ୍ର ଚିନୀ ଠାରୁ ପ୍ରାୟ ୨୫-୩୦ ପ୍ରତିଶତ ଅଧିକ ମିଠା । ଏହି ଚାଷ ପ୍ରଥମେ ବିଦେଶରେ ହେଉଥିବା ବେଳେ ଏବେ ଭାରତର ବେଙ୍ଗାଲୋର, ପୁଣେ, ଇନ୍ଦୋର, ରାୟପୁର ଓ ଓଡିଶାରେ ବି ଆରମ୍ଭ ହୋଇଛି ।

ଯଦି ଆପଣ ଏହାର ଲାଭ ବାବଦରେ ହିସାବ କରିବେ ତେବେ ଆପଣଙ୍କୁ ଗୋଟିଏ ଏକର ଜମିରେ ୪୦ ହଜାର ଚାରା ଲଗାଇବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପାଖା ପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ଲାଗିବ । ୬ ମାସ ପରେ ଆପଣ ପ୍ରତି ଗଛକୁ ସର୍ବନିମ୍ନ ୧୨୦-୧୪୦ ଟଙ୍କା ମଧ୍ୟରେ ବିକ୍ରି କରିପାରିବେ । ଏହାସହ ଯଦି ଏହାକୁ ନେଇ ଆପଣ ଶିଳ୍ପ କରିବାକୁ ଚାହିଁବେ ତେବେ ଆପଣ ସର୍ବାଧିକ ଲାଭବାନ ହୋଇପାରିବେ । ଏନେଇ ଆପଣ ସ୍ଥାନୀୟ କୃଷି ବିଭାଗ ସହ ପରାମର୍ଶ କରି ସରକାରୀ ସହାୟତା ବି ପାଇପାରିବେ ।