କନକ ବ୍ୟୁରୋ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଓଦାବସ୍ତ୍ର କଢାଯାଇଛି । ଆଜିଠୁ ଉପଚାର ନୀତି ଆରମ୍ଭ ହେବ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଜ୍ୱରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ମାନବୀୟ ଲୀଳା ଆଧାରରେ ଶ୍ରୀଜୀଉଙ୍କ ଉପଚାର କରାଯାଉଛି । ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଛି । ଛପନ ପଉଟି ଭୋଗ ବଦଳରେ ଫଳ, ଫୁଲୁରି ମହାପ୍ରଭୁଙ୍କୁ ଲାଗି ହୋଇଛି । ପଟି ଦିଅଁ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସେପଟେ ଅଲାରନାଥଙ୍କ ପୀଠରେ ନାରାୟଣଙ୍କୁ ଦର୍ଶନ ପାଇଁ ଭିଡ ଜମାଇଛନ୍ତି ଶ୍ରଦ୍ଧାଳୁ ।

Advertisment

publive-image

ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲା ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ଅଣସର ଘରେ ବିଶ୍ରାମ ନେଉଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଜ୍ୱର ଭଲ ପାଇଁ ଅଣସର ସେବା ଚାଲିଛି। ଘନ ଅନ୍ଧକାର ଭିତରେ ମହାପ୍ରଭୁଙ୍କ ଗୁପ୍ତନୀତି ଚାଲିଛି। ସୁନା ଗୋଷାଇଁଙ୍କ ଘରେ ପ୍ରସ୍ତୁତ ଅଣସର ମଇଲମ ଗତକାଲି ପତି ମହାପାତ୍ର ଓ ଦଇତାପତି ସେବକଙ୍କୁ ଯୋଗାଇ ଦିଆଯାଇଛି।

publive-image

ଦଇତାପତିମାନେ ଏହି ମଇଲମ ପଥି ଭୋଗ ବାଢ଼ିବା ପରେ ପତି ମହାପାତ୍ର ମହାପ୍ରଭୁଙ୍କ ଏହା ଲାଗି କରିଛନ୍ତି। ୧୫ ଦିନ ଧରି ଅଣସର ଘରେ ଏହି ସେବା ଚାଲିବ। ଗତକାଲି ପଟିଦିଅଁଙ୍କ ଠାରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ଵାର ଦେଇ ଦଇତାପତି ସେବକମାନେ ଅଣସର ଘରେ ପ୍ରବେଶ କରି ଗୁପ୍ତନୀତି ସଂପାଦନ କରିଛନ୍ତି। ଏହି ଗୁପ୍ତନୀତି ପାଇଁ ସୁନା ଗୋଷାଇଁମାନେ ୪ ସରା ଅଣସର ମଇଲମ ଯୋଗାଇ ଦେଇଛନ୍ତି। ସେପଟେ ସୁନା ଗୋଷାଇଁମାନେ ଯୋଗାଇ ଦେଇଥିବା ୪ଟି ଶୁକ୍ଳ ମାଳ ମହାପ୍ରଭୁଙ୍କୁ ପିନ୍ଧାଯାଇଛି।