ପ୍ରାର୍ଥୀ ବନିଥିବା ଅଭିନେତ୍ରୀ ଭିନ୍ନ ଶୈଳୀରେ କରୁଛନ୍ତି ପ୍ରଚାର ! ଟ୍ରାକ୍ଟର ଚଲାଇଲେ ହେମା, ଗୀତ ଗାଇ ଭୋଟ୍ ମାଗିଲେ ଉର୍ମିଳା, ଭାଷଣ ବେଳେ କାନ୍ଦିଲେ ଜୟାପ୍ରଦା । 

117

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ମାନେ ନୂଆ ନୂଆ ତରିକା ଆପଣାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଏଥିରୁ ବାଦ୍ ପଡିନାହାନ୍ତି ନେତ୍ରୀ ବନିଥିବା ଅଭିନେତ୍ରୀ । ବଡ ପରଦାରେ ସଜେଇ ହୋଇ ଅଭିନୟ କରିବାକୁ ପସନ୍ଦ କରୁଥିବା ଅଭିନେତ୍ରୀମାନେ ସାଧାରଣ ଲୋକଙ୍କ ଗହଣରେ ପହଂଚିଯାଇ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି । ବିଶେଷ କରି ହେମାମଳିନୀ ଟ୍ରାକ୍ଟର ଚଳାଇବା, ଉର୍ମିଳା ମାତୋଣ୍ଡକର ଅଟୋ ଚଳାଇବା ସହ ଗୀତ ଗାଇବା ଓ ପ୍ରଚାର ବେଳେ ଜୟାପ୍ରଦା କାନ୍ଦି ପକାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଭୋଟରଙ୍କ ମନ ଜିଣିବାକୁ ସବୁପ୍ରକାର କୌଶଳ ଆପଣାଉଛନ୍ତି ପ୍ରାର୍ଥୀ । ବିଶେଷ କରି ସବୁଠୁ ବଳିଯାଇଛି ବଲିଉଡ୍ ସେଲିବ୍ରିଟିଙ୍କ ପ୍ରଚାର । ପରଦା ଉପରେ ଯେମିତି ଅଭିନୟର ଯାଦୁ ଦେଖାଇଥାନ୍ତି, ପ୍ରଚାର ମଇଦାନ ବି ଦେଖିବାକୁ ମିଳିଛି ସେହିପରି କିଛି ସିକ୍ୟୁଏନ୍ସ । ହେମାମାଳିନୀ, ଉର୍ମିଳା ମାତୋଣ୍ଡକର ଓ ଜୟାପ୍ରଦାଙ୍କ ପ୍ରଚାରର ଭିନ୍ନ ଅନ୍ଦାଜ ଉପରେ ନଜର ପକାଇବା ।

ମଥୁରାରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ହେମାମାଳିନୀ କୃଷକଙ୍କୁ ନିକଟତର ହେବା ପାଇଁ ଚାଷଜମିରେ ପହଁଚିଯାଇଥିଲେ । କେବଳ ଏତିକି ନୁହେଁ ସେଠାରେ ଟ୍ରାକ୍ଟର ମଧ୍ୟ ଚଳାଉଥିବାର ଦେଖିବାକୁ ମିଳିଛି ଡ୍ରିମଗାର୍ଲଙ୍କୁ । ଟ୍ରାକ୍ଟର ଚଳାଇବା ସହ ବିଜେପିକୁ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ ହେମାମଳିନୀ । ଏହାପୂର୍ବରୁ ହେମାମାଳିନୀ ଗହମ ବିଲରେ ଫସଲ କାଟୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ହେମାମାଳିନୀଙ୍କ ପରି କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ମଧ୍ୟ କିଛି ନିଆରା ଢ଼ଙ୍ଗରେ ପ୍ରଚାର କରିଛନ୍ତି । ଉତ୍ତର ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ଉର୍ମିଳା ସ୍ଥାନୀୟ ଲୋକଙ୍କ ସହ ଏକାଠି ହୋଇ ଗୁଡି ପଡୱା ମନାଇଛନ୍ତି । ମରାଠି ବେଶରେ ସଜେଇ ହୋଇ ପାରମ୍ପରିକ ଲାବଣି ନାଚ ନାଚିବା ସହ ଭୋଟ୍ ମାଗିଛନ୍ତି ଉର୍ମିଳା । ଏହାପୂର୍ବରୁ ମୁମ୍ବାଇରେ ଅଟୋରିକ୍ସା ଡ୍ରାଇଭରଙ୍କ ସହ ଆଲୋଚନା କରିବା ସହ ନିଜେ ଅଟୋ ମଧ୍ୟ ଚଳାଉଛନ୍ତି । ନିର୍ବାଚନୀ ପ୍ରଚାର ମଇଦାନରେ ଉର୍ମିଳା, ଗୀତ ଗାଇ ଗାଇ, ନାଚି ନାଚି, ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଚେଷ୍ଟା ଚଳାଉଥିବା ଦେଖିବାକୁ ମିଳିଛି ।

ସେହିପରି ଅଭିନେତ୍ରୀରୁ ନେତ୍ରୀ ବନିଥିବା ଜୟାପଦ୍ରା ମଧ୍ୟ ପଛରେ ପଡ଼ିନାହାନ୍ତି । ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଜୟାପ୍ରଦା । ରାମପୁରରେ ଭାଷଣ ଦେବା ବେଳେ ତାଙ୍କୁ ଭାବବିହ୍ୱଳ ହୋଇପଡୁଥିବାର ଦେଖିବାକୁ ମିଳିଛି । ତାଙ୍କ ବିରୋଧରେ ଏଥର ନିର୍ବାଚନ ଲଢୁଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନ ରାକ୍ଷୀର ସମ୍ମାନ ରଖିନଥିଲେ ବୋଲି କହି କାନ୍ଦି ପକାଇଥିଲେ ଜୟାପ୍ରଦା । ଏହାସହ ତାଙ୍କ ଉପରେ ଏସିଡ୍ ଆଟାକ କରିବା ପାଇଁ ଆଜମ ଖାନ ଷଡଯନ୍ତ୍ର କରିଥିଲେ ଏବଂ ସେଥିପାଇଁ ତାଙ୍କୁ ରାମପୁରରୁ ଦୂରେଇ ରହିବାକୁ ପଡିଥିଲା ବୋଲି ଅଭିଯୋଗ ଆଣିଛନ୍ତି ବିଗତ ଦିନର ବଲିଉଡ୍ କୁଇନ୍ ।