କନକ ବ୍ୟୁରୋ : (ସୁବ୍ରତ ଦାସ) : ପାଖେଇ ଆସିଲାଣି ନିର୍ବାଚନ। ଆରମ୍ଭ ହୋଇଗଲାଣି ପ୍ରଚାର । ଏହା ସାଙ୍ଗକୁ ବଢୁଛି ଚଳଚ୍ଚିତ୍ର ତାରକାଙ୍କ ଗୁରୁତ୍ୱ । ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିରେ ତାରକା ନେତାଙ୍କ ବଢୁଛି ଭିଡ଼ । ଓଡ଼ିଶା ରାଜନୀତିର ଅନ୍ୟତମ ପ୍ରାଣକେନ୍ଦ୍ର କେନ୍ଦ୍ରାପଡ଼ାରେ ଏଥର ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ଚଳଚ୍ଚିତ୍ର ତାରକାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିରେ ନିକଟରେ ଯୋଗ ଦେଇଥିବା ଜଣାଶୁଣା ଚଳଚ୍ଚିତ୍ର ତାରକା ମହାଶ୍ୱେତା ରାୟଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଓଡ଼ିଶା ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଏବଂ ଅଭିନେତା ଅଖିଳ ପଟ୍ଟନାୟକ । ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ, ମିହିର ଦାସ, ଶ୍ରୀତମ ଦାସ, ଅଶ୍ରୁମୋଚନ ମହାନ୍ତି, ହରିହର ମହାପାତ୍ର ଓ ପିଙ୍କି ପ୍ରଧାନ । ଗତ ଥର କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢି ହାରିଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏମାନେ ସମସ୍ତେ ଏଥର ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । ପିଙ୍କି ପ୍ରଧାନ ଏଥର ଦିଗପହଣ୍ଡି ବିଧାନସଭା ଆସନରେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ପୁରୁଣା ନେତା ସୂର‌୍ୟ୍ୟନାରାୟଣ ପାତ୍ରଙ୍କ ବିପକ୍ଷରେ ଲଢୁଛନ୍ତି । ପିଙ୍କି କହିଛନ୍ତି, ‘‘ଆଗରୁ ଦଳର ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିଲି, ଏବେ ନିଜ ଲାଗି ପ୍ରଚାର କରୁଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଗଲେ ମୁଁ ଦଳର ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ଲାଗି ଯିବି ।’’

publive-imageଅନ୍ୟ ପକ୍ଷରେ ବିଜୁ ଜନତା ଦଳରେ ଅନେକ ପୁରୁଖା ଚଳଚ୍ଚିତ୍ର ତାରକା ସକ୍ରିୟ ରାଜନୀତିରେ ଅଛନ୍ତି । ତେବେ, ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ଏଥର ଦଳ ବାଦ୍ ଦେଇଛି । ସେହିପରି, କୋରେଇ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ ନିଜ ଟିକେଟ ପାଇଁ ଅପେକ୍ଷା କରିଛନ୍ତି । ‘‘ମୁଁ ଟିକଟ ପାଇଲେ ନିଜ ପାଇଁ ପ୍ରଚାରରେ ଲାଗିଯିବି । ତା’ସାଂଗରେ ସମୟ ଓ ସୁଯୋଗ ଦେଖି ଅନ୍ୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବି’’ ବୋଲି କହିଛନ୍ତି ଏହି ଚଳଚ୍ଚିତ୍ର ତାରକା ତଥା ଯୁବନେତା ।

ବିଜୁ ଜନତା ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ଏଥର ଅଛନ୍ତି ବହୁ ଚଳଚ୍ଚିତ୍ର ତାରକା । ସେମାନେ ହେଲେ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ ଓ ଅରିନ୍ଦମ୍ ରାୟ । ଉତ୍ତମ ମହାନ୍ତି କହିଛନ୍ତି, ‘‘ମୁଁ ତ ବିଜେଡ଼ିରେ ଅଛି । ଦଳ ଯେଉଁଠିକି ଯିବାକୁ କହିବ, ମୁଁ ସେଠାକୁ ଯିବି।’’

ତେବେ, କଂଗ୍ରେସରେ ଏଥର ଷ୍ଟାର୍ ପ୍ରଚାରକ ତାଲିକାରେ କେହି ଓଡ଼ିଆ ଚଳଚ୍ଚିତ୍ର ତାରକା ନାହାନ୍ତି । ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର କହିଛନ୍ତି, ଓଡ଼ିଶାରେ ନିର୍ବାଚନ ରାଜନୀତି ଉପରେ ଚଳଚ୍ଚିତ୍ର ତାରକାଙ୍କର ବିଶେଷ ପ୍ରଭାବ ନାହିଁ । ଏଥିପାଇଁ ଆମେ ତାରକା ଶକ୍ତି ଉପରେ ବିଶେଷ ନିର୍ଭର କରୁ ନାହିଁ ।’’

ତେବେ ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ଅଛନ୍ତି ମହମ୍ମଦ ଆଝାରୁଦ୍ଦିନ୍, ରାଜ୍ ବବର, ବିଜୟାଶାନ୍ତି , ଖୁସ୍ବୁ ଓ ନଗମା । ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ମତରେ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ଚିହ୍ନା ମୁହଁ ହୋଇଥିବାରୁ ନିର୍ବାଚନୀ ସଭାରେ ସେମାନଙ୍କୁ ଦେଖିବାକୁ ବହୁତ ଭିଡ଼ ହୁଏ,‘‘ତେବେ ସେମାନେ ସେମାନଙ୍କ ଲୋକପ୍ରିୟତାକୁ କିପରି ଭୋଟରେ ରୂପାନ୍ତରିତ କରାଯାଇପାରିବ, ତା’ର କଳା ଶିଖିବା ଉଚିତ।’’