ମଇଦାନ ପ୍ରସ୍ତୁତ, ରଣନୀତି ସହ କପ୍ତାନ ବି ତୟାର! ବିଜେପୁର ବାଜି ଜିତିବାକୁ ଅଣ୍ଟା ଭିଡିଲେ ଷ୍ଟାର ପ୍ରଚାରକ, ଜାଣନ୍ତୁ କେବେ ଆଉ କେଉଁଠି ଷ୍ଟାର ପ୍ରଚାରକ କରିବେ କ୍ୟାମ୍ପେନ

41

କନକ ବ୍ୟୁରୋ : ନାମାଙ୍କନ ସରିଛି । ପ୍ରାର୍ଥୀପତ୍ର ଯାଞ୍ଚ ମଧ୍ୟ ଶେଷ ହୋଇଛି । ଏବେ ହାଇଭୋଲଟେଜ ପ୍ରଚାରରେ କମ୍ପିବ ବିଜେପୁର । ଶୁଭିବ ପ୍ରାର୍ଥୀଙ୍କର ଜୟ ଜୟକାର । ବଡ ବଡ ରାଲି ସହ ଜମିବ ଭୋଜିର ଆସର । ଭୋଟରଙ୍କୁ ମିଳିବ କେତେ କଣ ପ୍ରତିଶୃତି । ଯେହେତୁ ସମ୍ମାନର ଲଢେଇ ଚାଲିଛି ତେଣୁ ବିଜେପୁରରେ ବାଜିମାତ କରିବାକୁ ବିଭିନ୍ନ ଦଳ ପକ୍ଷରୁ କୌଣସି କ୍ଷେତ୍ରରେ ହେଳା କରାଯାଉନାହିଁ । ତେବେ ଏସବୁ ଭିତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟରଙ୍କ ମନ ଜିଣିବା ପାଇଁ ବିଜେପୁର ମୈଦାନକୁ ଓହ୍ଲାଇବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପନର । ବିଜେପୁରରେ ଷ୍ଟାର କ୍ୟାମ୍ପନର ଏକ ବଡ ଫ୍ୟାକ୍ଟର ଭାବେ କାମ କରିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆଉ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଲାଣି ପ୍ରତ୍ୟେକ ଦଳ ।

bijepurଷ୍ଟାର କ୍ୟାମ୍ପନର । ପ୍ରତ୍ୟେକ ଦଳ ପାଇଁ ଏକ ବଡ ସମ୍ପତି । ଏମାନଙ୍କ ଉପସ୍ଥିତି ଅନେକ ସମୟରେ ନିର୍ବାଚନର ଫଳାଫଳ ବଦଳାଇଦେଇଥାଏ । ଏସବୁ ଭିତରେ ବିଜେପୁରରେ ମଧ୍ୟ ଦେଖିବାକୁ ମିଳିବ ଷ୍ଟାର ୱାର । ଗୋଟିଏ ପଟେ ବିଜେଡିର ତ୍ରାଣକର୍ତ୍ତା ନବୀନ ଓ ଅନ୍ୟପଟେ ବିଜେପିର ପୋଷ୍ଟର ବଏ ଧର୍ମେନ୍ଦ୍ର । ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ ସତ କିନ୍ତୁ ପ୍ରକୃତ ଲଢେଇ ନବୀନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ହେବ । ଆଉ ଏହି ଲଢେଇକୁ ଦେଖିବା ପାଇଁ ରାଜ୍ୟବାସୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । କାରଣ ନବୀନ ବିଜେଡି ପାଇଁ ପ୍ରଚାର କରିବାକୁ ଅଣ୍ଟା ଭିଡିଥିବା ବେଳେ ବିଜେପୁର ପାଇଁ ବିଜେପିର ମଙ୍ଗ ଧରିବେ ଧର୍ମେନ୍ଦ୍ର ପ୍ରଧାନ ।

bijepurଏସବୁ ଭିତରେ ବିଜେଡି ଦୁଇପାଦ ଆଗକୁ ବଢି ବିଜେପୁର ଉପନିର୍ବାଚନ ପାଇଁ ଦଳର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । ନେତା ଓ ଅଭିନେତାଙ୍କୁ ମିଶାଇ ମୋଟ ୪୦ ଜଣଙ୍କର ଏକ ଲମ୍ବା ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି ବିଜେଡି । ବିଜେପୁରରେ ହେବାକୁ ଥିବା ହାଇଭୋଲଟେଜ ପ୍ରଚାରର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ବ୍ରାଣ୍ଡ ନବୀନଙ୍କ ସହ ୬ ଜଣ ସାଂସଦ, ୫ ଜଣ ଅଭିନେତା , ୨୨ ବିଧାୟକ ଓ ୪ ମନ୍ତ୍ରୀ ବି ବିଜେପୁରର ବିଜେଡି ପାଇଁ ଭୋଟ ମାଗିବେ । ୫ ଜଣ ଅଭିନେତାଙ୍କ ମଧ୍ୟରେ ପ୍ରମୁଖ ରହିଛନ୍ତି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଆକାଶ ଦାସ ନାୟକ, ଅରିନ୍ଦମ ରୟ ଓ କୁନା ତିପ୍ରାଠୀ । ଏମାନଙ୍କୁ ନେଇ ପ୍ରଚାର ମୈଦାନକୁ ବିଜେଡି ଯିବାକୁ ସ୍ଥିର କରିଛି । ଏହାଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ଓ ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଯିବେ । ୧୯ ତାରିଖରେ ଗାଈସିଲଟ ଓ ବରପାଲି ବ୍ଲକ ପାଇଁ ନବୀନ ପ୍ରଚାର କରିବାକୁ ଥିବା ବେଳେ ୨୧ ତାରିଖରେ ବିଜେପୁର ବ୍ଲକରେ ରୀତା ସାହୁଙ୍କ ପାଇଁ ଭୋଟ ମାଗିବେ ନବୀନ ।ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଟାଣିବା ପାଇଁ ବ୍ଲକୱାରୀ ରାଜ୍ୟସ୍ତରୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେପୁର ବ୍ଲକ ପାଇଁ ଦଳ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ  ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବରପାଲି ବ୍ଲକ ପାଇଁ ସଞ୍ଜୟ ଦାସବର୍ମା ଓ ଦେବେଶ ଆଚାର୍ୟ୍ୟଙ୍କ ମୁଣ୍ଡରେ ବଡ ଦାୟିତ୍ୱ ରହିଛି । ଗାଇସିଲଟ ବ୍ଲକକୁ ଜଗିବା ପାଇଁ ନିରଞ୍ଜନ ପୂଜାରୀ ଓ ପ୍ରଶାନ୍ତ ନନ୍ଦଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ସେହିଭଳି ସବୁ ପଞ୍ଚାୟତରୁ ଯେପରି ଭୋଟ ଆସିବ ସେଥିପାଇଁ ଦଳର ଛାମୁଆ ନେତାଙ୍କୁ ଦାୟିତ୍ୱ ଦେଇ ବିଜେପି ପାଇଁ ଚକ୍ରବ୍ୟୁହ ରଚନା କରିଛି ବିଜେଡି ।

bijepurବିଜେଡିର ଷ୍ଟାର କ୍ୟାମ୍ପନରଙ୍କୁ କାଉଣ୍ଟର କରିବା ପାଇଁ ବିଜେପି ମଧ୍ୟ ଷ୍ଟାର କ୍ୟାମ୍ପନରଙ୍କ ତାଲିକା ପ୍ରସ୍ତୁତ କରିଛି । ବିଜେପିର ଷ୍ଟାର କ୍ୟାମ୍ପନରଙ୍କ ତାଲିକାରେ ରହିଛି ଜାତୀୟ ରାଜନୀତିର ଜଣାଶୁଣା ନାଁ । ଦଳ ହେଭିୱେଟ ନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ବୋଲି ଜଣାପଡିଛି । ନବୀନଙ୍କୁ ପ୍ରଚାରକୁ ଫିକା କରିବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭଳି ଯୋଦ୍ଧାକୁ ରଣଭୂମିକୁ ଛାଡିବାକୁ ସ୍ଥିର କରିଛି ଦଳ । ଏହାବାଦ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ,  ସନ୍ତୋଷ ଗଙ୍ଗୱାର, ସ୍ୱାଧୀ ନିରଞ୍ଜନ ମଧ୍ୟ ପ୍ରଚାର ପାଇଁ ବିଜେପୁରରେ କ୍ୟାମ୍ପ ପକାଇବେ ବୋଲି ସୂଚନା ମିଳିଛି । ଏହାଛଡା ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ବିଜେପୁରରେ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ପଞ୍ଚାୟତ ନିର୍ବାଚନର ସଫଳତା କିଭଳି ବିଜେପୁର ଉପନିର୍ବାଚନରେ ଦୋହରାଇବେ ସେ ନେଇ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ । ଏହାଭିତରେ ଧର୍ମେନ୍ଦ୍ର ପ୍ରଚାର ମୈଦାନକୁ ଯିବାକୁ ଗୋଡ କାଢି ସାରିଲେଣି । ଫେବୃୟାରୀ ୧୧ ତାରିଖରେ ଧର୍ମେନ୍ଦ୍ର ନିଜ ସେନା ସହ ପ୍ରଚାର ମଇଦାନକୁ ଓହ୍ଲାଇବେ । ତେଣୁ ଏହି ବିଗ୍ ଫାଇଟରେ କାହାର ବିଜୟ ହେବ ଓ କିଏ ସମ୍ମାନର ଲଢେଇରେ ପରାଜିତ ହେବ ତାହା ଆଉ ମାତ୍ର ଦିନ କେଇଟା ପରେ ସ୍ପଷ୍ଟ ହୋଇଯିବ ।