ଆସିଲା ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ବିବାଦୀୟ ନେତାଙ୍କୁ ମିଳିଲାନି ସ୍ଥାନ, ବାଦ୍ ପଡିଲେ ହେଭିୱେଟ ।

2,416

କନକ ବ୍ୟୁରୋ  : ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ନବୀନଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ମୋଟ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ଅନେକ ନେତାଙ୍କୁ ତାଲିକାରୁ ଆଉଟ କରାଯାଇଛି । ଖାସକରି ଯେଉଁମାନେ ଗତ କିଛି ମାସ ହେବ ବିବାଦ ଘେରରେ ରହିଛନ୍ତି ସେଭଳି ନେତାଙ୍କୁ ପ୍ରଚାର ମୈଦାନରୁ ଦୂରେଇ ରଖିଛି ଦଳ । ଯାହାର ଝଲକ ଷ୍ଟାର ପ୍ରଚାରକ ତାଲିକାରେ ଦେଖିବାକୁ ମିଳିଛି ।

ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଦଳର ହେଭିୱେଟ ନେତା ତଥା ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଓ ବିକ୍ରମ କେଶରୀ ଆରୁଖଙ୍କୁ  ସ୍ଥାନ ମିଳିନାହିଁ । ଯାହା ଦର୍ଶାଉଛି ବିବାଦୀୟ ନେତାଙ୍କୁ ନେଇ ଦଳ ପ୍ରଚାର ମୈଦାନକୁ ବୋଧହୁଏ ଓହ୍ଲାଇବାକୁ ଚାହୁଁନାହିଁ । ନଚେତ ଯେଉଁ ନେତା ପୂର୍ବରୁ ବିଭିନ୍ନ ନିର୍ବାଚନରେ ଦଳ ପକ୍ଷରୁ ଗୁରୁଦାୟିତ୍ୱ ବହନ କରୁଥିଲେ ସେମାନଙ୍କୁ ପ୍ରଚାର ତାଲିକାରୁ କାହିଁକି ବା ବାଦ୍ ଦିଆଯାଇଥାନ୍ତା ।

କୃଷି, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦଳ ପ୍ରଚାର ତାଲିକାରେ ସ୍ଥାନ ଦେଇନାହିଁ । ପୂର୍ବରୁ ବିଜେଡି ଲଢିଥିବା ଅଧିକାଂଶ ନିର୍ବାଚନରେ ଅରୁଣଙ୍କୁ ଗୁରୁଦାୟିତ୍ୱ ମିଳିଛି । କିନ୍ତୁ ପିପିଲି ଉପ-ନିର୍ବାଚନର ପ୍ରଚାର ମୈଦାନକୁ ଷ୍ଟାର ପ୍ରଚାରକ ଭାବେ ଅରୁଣଙ୍କୁ ଓହ୍ଲାଇବାକୁ ଚାହିଁନାହାନ୍ତି ବିଜେଡି ସୁପ୍ରିମୋ । ପୁରୀ ଲୋକସଭା ଅଧୀନରେ ଅରୁଣଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଥିଲେ ମଧ୍ୟ ଅରୁଣଙ୍କୁ ପ୍ରଚାର ମୈଦାନରୁ ଆଉଟ କରାଯାଇଛି । ଅରୁଣଙ୍କ ପଛରେ ଲାଗିଥିବା ବିବାଦୀୟ ଟ୍ୟାଗ୍ ଏହା ପଛର ସବୁଠୁ ବଡ କାରଣ ବୋଲି କୁହାଯାଉଛି । ପରୀ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିଲେ ଅରୁଣ । ଏପରିକି ପରୀ ମାମଲାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବାକୁ ସୁଯୋଗ ପାଇଥିଲେ । ଯାହା ସରକାରଙ୍କୁ କିଛି ମାତ୍ରାରେ ଅଡୁଆରେ ପକାଇଥିଲା । ତେଣୁ ଏଭଳି ଏକ ସଙ୍ଗୀନ ମାମଲାରେ ଅରୁଣଙ୍କ ନାଁ ଥିବାରୁ ପିପିଲି ପ୍ରଚାର ମୈଦାନକୁ ତାଙ୍କୁ ନ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ନବୀନ ।

ସେହିଭଳି ପଞ୍ଚାୟତରାଜ, ଆଇନ ମନ୍ତ୍ରୀ ଥିବା ପ୍ରତାପ ଜେନାଙ୍କୁ ମଧ୍ୟ ପିପିଲି ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଛି । ନିର୍ବାଚନ ପରିଚାଳନାରେ ମାହିର ଥିବା ପ୍ରତାପଙ୍କୁ ପୂର୍ବରୁ ହୋଇଥିବା ଅନେକ ନିର୍ବାଚନରେ ଦଳ ଗୁରୁଦାୟିତ୍ୱ ଦେଇଛି । କିନ୍ତୁ ପିପିଲି ନିର୍ବାଚନରୁ ତାଙ୍କୁ ଏକପ୍ରକାର ଦୂରେଇ ରଖାଯାଇଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ନେଇ ଅଭିଯୋଗ ହେଉଥିବା ବେଳେ ସ୍ଥାନୀୟ ଜେଏମଏଫସି କୋର୍ଟ ପୁଣିଥରେ ତାଙ୍କ ବିରୋଧରେ  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏଭଳି ଏକ ବିବାଦୀୟ ଚେହେରାକୁ ପ୍ରଚାର ମୈଦାନକୁ ଓହ୍ଲାଇବା ଦଳ ପାଇଁ ବୁମେରାଂ ହୋଇପାରେ । ତେଣୁ ପ୍ରତାପ ଜେନାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିନଥିବା କୁହାଯାଉଛି । ସେହିଭଳି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ବିକ୍ରମ ଆରୁଖଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇନାହିଁ । ତେବେ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ, ପ୍ରତ୍ୟେକ ଦଳ ମୋଟ ୨୦ ଜଣ ଷ୍ଟାର ପ୍ରଚାରକଙ୍କ ସହ ପ୍ରଚାର କରିପାରିବେ । ତେଣୁ ଅଧିକାଂଶ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିନଥିବା କୁହାଯାଉଛି ।