କନକ ବ୍ୟୁରୋ : ଆଜିଠୁ ଖଣ୍ଡଗିରିରେ ମାଘ ମେଳା । ଚଳିତ ମେଳାର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଷ୍ଟାଣ୍ଡିଂ ବାବା । ଦେହରେ ବୋଳି ହୋଇଛି ବିଭୁତି । ବଡ ଷ୍ଟୁଲ ସାହାର୍ଯ୍ୟରେ ଷ୍ଟାଡିଂ ବାବା ଦିନତମାମ ଠିଆ ହେଉଛନ୍ତି । ନିଦ ଲାଗିଲେ ମଧ୍ୟ ଠିଆ ଠିଆ ଶୋଇ ପଡୁଛନ୍ତି । କେମିତି ଏତେ ସମୟ ଠିଆହୋଇ ପାରୁଛନ୍ତି ପଚାରିଲେ କହୁଛନ୍ତି ସବୁ ନାରାୟଣଙ୍କ ଇଚ୍ଛା । ଜଗତର ମଙ୍ଗଳ ପାଇଁ ଠିଆ ହୋଇ ବାବା ତପସ୍ୟା କରୁଛନ୍ତି । ଯେଉଁ ପର୍ଯ୍ୟନ୍ତ ଏହି ମେଳା ଜାରି ରହିବ ସେହି ଯାଏଁ ବାବା ଠିଆ ହୋଇ ତପସ୍ୟା କରିବେ ବୋଲି କହିଛନ୍ତି ଷ୍ଟାଡିଂ ବାବା ।

Advertisment

ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗା ସାଧୁ ନିନନିଜର ରହଣିସ୍ଥାନ ବାଛିବା ସହ ଲଟାବୁଦାକାଟି ସଫା କରିଛନ୍ତି । ମାଘସପ୍ତମୀ ଅବସରରେ ଧୂନି ସ୍ଥାପନ କରାଯିବ । ତେବେ ବିଏମସି ପକ୍ଷରୁ ସାଧୁସନ୍ୟାସୀଙ୍କ ପାଇଁ କୌଣସି ବନ୍ଦୋବସ୍ତ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ରବିବାର ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ଯଥେଷ୍ଟ ଭିଡ ଦେଖିବାକୁ ମିଳିଛି ।

ବିଏମସି ପକ୍ଷରୁ ମୀନାବଜାର ଉପରେ କଟକଣା ଲାଗିଥିବା ସତ୍ତ୍ୱେ କିଛି ବେପାରୀ ରାସ୍ତାର ଉଭୟ ପାର୍ଶ୍ୱରେ ପସରା ମେଲିଛନ୍ତି । ଖେଳନା, ଜୋତା, ବିଭିନ୍ନ ବହି ପସରାପାଖରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ସେହିପରି ମେହେନ୍ଦି ଓ ଟାଟୁ କରିବା ପାଇଁ ଯୁବପିଢୀ ଆଗ୍ରହ ପ୍ରକାଶ କରୁଛନ୍ତି । ଚାବି ରିଂରେ ନିଜ ନାମ ଲେଖାଇବା ସହ ମଥୁରା କେକ୍ , ଚାଟ୍  ଓ ଗୁପଚୁପର ମଜା ନେଉଛନ୍ତି ପର୍ଯ୍ୟଟକ ।