ପାକିସ୍ତାନରେ ଖାଦ୍ୟ ପାଇଁ ହାହାକାର । ସିନ୍ଧ ପ୍ରଦେଶରେ ଅଟା ପାଇଁ ଦଳଚକଟା

183

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରେ ଅଟା ପାଇଁ ହାହାକାର ଖେଳିଯାଇଛି । ସରକାର ଯୋଗାଉଥିବା ଅଟା ପାଇଁ ଲୋକେ ଡହଳବିକଳ । ଟ୍ରକରେ ଅଟା ବସ୍ତା ଗଦା ଦେଖି ଅଟା ପାଇବାକୁ ଲୋକଙ୍କ ଭିଡରେ ଆରମ୍ଭ ହୋଇଥିବା ଠେଲାପେଲା କ୍ରମେ ଦଳାଚକଟାର ରୂପ ନେଉଛି । ଆଉ ଏହି ଦଳାଚକଟାରେ ଜଣେ ୪୦ ବର୍ଷ ବୟସ୍କ ଶ୍ରମିକ ପ୍ରାଣ ହରାଇଛନ୍ତି । ପାକିସ୍ତାନରେ ଅଟା କିଲୋ ପିଛା ୧୪୦ରୁ ୧୬୦ଟଙ୍କାରେ ବିକ୍ରି ହେଉଛି । ତେଣୁ ଶହବାଜ ସରକାର ଦେଶର ବିଭିନ୍ନ ସ୍ଥାନରେ ଅଳ୍ପ ଦରରେ ଅଟା ଯୋଗାଇ ଦେଉଛନ୍ତି । ଗଲା ଶନିବାର ଦିନ ସିନ୍ଧ ପ୍ରାନ୍ତରେ ଅଟା ବଣ୍ଟନ ବେଳେ ଏହି ଅଘଟଣ ଘଟିଛି ।

ପାକିସ୍ତାନ ବଜାରରେ ୨୦ କିଲୋ ଥିବା ଅଟା ପ୍ୟାକେଟର ଦାମ ୩୧ଶହ ଟଙ୍କାକୁ ଛୁଇଁଛି । ମହଙ୍ଗା ଯୋଗୁଁ ଦିନକୁ ଦୁଇ ବେଳା ରୁଟି ଯୋଗାଡ କରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି ।

ପାକିସ୍ତାନରେ ଅଟ୍ଟାର ଆକାଶ ଛୁଆଁ ଦର ଖାଦ୍ୟ ସଙ୍କଟକୁ ଉକ୍ରଟ କରି ଦେଇଛି । ସରକାର ଯୋଗାଉଥିବା ଅଟା ସମୁଦ୍ରକୁ ଶଙ୍ଖେ ହେଉଥିବାରୁ ଅଟା ବଣ୍ଟନ ବେଳେ ମାରପିଟ ସ୍ଥିତି ଦେଖିବାକୁ ମିଳୁଛି । ବେଲୁଚିସ୍ତାନରେ ଅଟା ବଣ୍ଟନ ପାଇଁ ସେନା କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ବନ୍ଧୁକଧାରୀ ଯବାନ ଅଟା ବସ୍ତା ଗଦା ଟ୍ରକ୍ ଉପରେ ଛିଡା ହୋଇ ଲୋକଙ୍କୁ ଅଟା ବାଣ୍ଟୁଛନ୍ତି । ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମଝିରେ ମଝିରେ ଫାଙ୍କା ଗୁଳି ଚଳାଉଛନ୍ତି ।

ପାକିସ୍ତାନର ଖୋଲା ମାର୍କେଟରେ ଅଟା କିଲୋ ୧୪୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ସରକାର କିଲୋ ପିଛା ୬୫ ଟଙ୍କାରେ ଲୋକଙ୍କୁ ଅଟା ଯୋଗାଇ ଦେଉଛନ୍ତି । ତେବେ ପାକିସ୍ତାନରେ ଖାଦ୍ୟ ସଂକଟର ବିକଳ ରୂପ ଦେଖିବାକୁ ମିଳିଛି । ଗତ ବର୍ଷ ବନ୍ୟାର ଭୟଙ୍କର ସ୍ଥିତି ପାଇଁ ଗହମ ଚାଷ ନଷ୍ଟ ହୋଇଥିବାରୁ ଅଟାର ଭୟଙ୍କର ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି । ମହଙ୍ଗା ଦରର ପ୍ରତିବାଦରେ ସିନ୍ଧରେ ସାଧାରଣ ଜନତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।