ଆଜି ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ । ୫୯ ଆସନରେ ପଡୁଛି ଭୋଟ୍ । ୯୧୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପ୍ରାୟ ୧୦ କୋଟି ଭୋଟର

ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନେକ ହେଭିୱେଟ୍

65

କନକ ବ୍ୟୁରୋ: ଆଜି ଶେଷ ପର୍ଯ୍ୟାୟ ମତଦାନ । ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୫୯ଟି ଆସନରେ ଭୋଟିଂ ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ପ୍ରାୟ ୧୦ କୋଟି ଭୋଟର । ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା, ସନ୍ନି ଦେଓଲ ଓ ରବି କିଷନଙ୍କ ଭାଗ୍ୟ ମଧ୍ୟ ଆଜି ପରୀକ୍ଷା ହେଉଛି । ତେବେ ପଶ୍ଚିମବଙ୍ଗର ୯ଟି ଆସନ ଉପରେ ସମୀକ୍ଷକଙ୍କ ନଜର ରହିଛି ।

କେଉଁ ରାଜ୍ୟରେ କେତେ ଆସନରେ ପଡୁଛି ଭୋଟ୍

ଉତରପ୍ରଦେଶରେ ୧୩ , ପଂଜାବରେ ୧୩ , ପଶ୍ଚିମବଙ୍ଗରେ ୯ ଆସନରେ ହେଉଛି ଭୋଟିଂ । ସେହିପରି ବିହାରରେ ୮ଟି , ମଧ୍ୟପ୍ରଦେଶରେ ୮, ହିମାଚଳ ପ୍ରଦେଶରେ ୪ , ଝାଡଖଣ୍ଡରେ ୩ ଆସନ ଓ ଚଣ୍ଡିିଗଡର ଗୋଟିଏ ଆସନରେ ହେଉଛି ମତଦାନ । ତେବେ ଶେଷ ପର୍ଯ୍ୟାୟ ମତଦାନରେ ସାରାଦେଶର ନଜର ରହିଛି ପଶ୍ଚିମବଂଗ ଉପରେ । । ପଶ୍ଚିମବଂଗରେ ମତଦାନ ହେଉଥିବା ୯ ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ସବୁ ଦଖଲ କରିଥିଲା ଟିଏମସି । ତେଣୁ ଏଥର ଟିଏମସିର ଏହି ଗଡ ଭାଂଗିବାକୁ ବିଜେପି ଯୋଜନା କରିଥିବାରୁ ଟିଏମସି ଓ ବିଜେପି ମଧ୍ୟରେ ହେବ ଜୋରଦାର ଟକ୍କର ।

ଶେଷ ପର୍ଯ୍ୟାୟ ମତଦାନରେ କେଉଁ କେଉଁ ହେଭିୱେଟଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର

ସବୁଠାରୁ ହାଇପ୍ରୋଫାଇଲ୍ ବାରଣାସୀ ଆସନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏଠାରେ ସପାର ଶାଳିନୀ ଦେବୀ ଓ କଂଗ୍ରେସର ଅଜୟ ରାୟଙ୍କ ମଧ୍ୟରେ ଟକ୍କର ହେଉଛି । ପାଟନା ସାହିବ ଆସନ । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ମଧ୍ୟରେ ଲଢେଇ । ଅମ୍ରିତସର ଆସନରୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ , ଉତରପ୍ରଦେଶର ଗାଜିପୁର ଆସନରୁ ମନୋଜ ସିହ୍ନା, ମିର୍ଜାପୁରରୁ ଅନୁପ୍ରିୟା ପଟେଲଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ଗୁରୁଦାସପୁରରୁ ଅଭିନେତା ସନି ଦେଓଲ , ଗୋରଖପୁରରୁ ରବି କିଶନ, ଦୁମକା ଆସନରୁ ଜେଏମଏମ୍ ମୁଖ୍ୟ ଶିବୁ ସୋରେନ୍ , ବିହାର ସାସାରାମ ଆସନରୁ ପୂର୍ବ ଲୋକସଭା ଅଧ୍ୟକ୍ଷ ମୀରା କୁମାର ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେହିପରି ବିହାରର ପାଟଳିପୁତ୍ର ଆସନରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ଟକ୍କର ଦେଉଛନ୍ତି ଆରଜେଡି ପ୍ରାର୍ଥୀ ମୀସା ଭାରତୀ ।

୫୯ ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ବିଜେପି ଜିତିଥିଲା ୩୨ ଆସନ । ତେବେ ଏଥର କେନ୍ଦ୍ରରେ ପୁଣି ଥରେ ୭କ୍ଷମତାକୁ ଫେରିବାକୁ ହେଲେ ୨୦୧୪ର ସଫଳତା ଦଳକୁ ଦୋହରାଇବାକୁ ପଡିବ । ହେଲେ ବିରୋଧୀଙ୍କ ରଣନୀତିକୁ ଦେଖିଲେ ଏଥର ମୋଦୀଙ୍କ ପାଇଁ ଏହା ଏତେ ସହଜ ହେବାପରି ମନେ ହେଉନାହିଁ ।