ଆଜି ଘୋଷଯାତ୍ରା : ନୀତିକାନ୍ତି ଆରମ୍ଭ, ସକାଳ ସାଢ଼େ ୮ଟାରେ ଆରମ୍ଭ ହେବ ପହଣ୍ଡି; ଗଜପତି କରିବେ ଛେରାପହଁରା, ଦିନ ୩ଟାରେ ରଥଟଣା

148

କନକ ବ୍ୟୁରୋ : ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ବର୍ଷକର ପ୍ରତୀକ୍ଷାର ଅନ୍ତ ଘଟାଇ ପତିତଜନଙ୍କ ଉଦ୍ଧାର ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାପ୍ରଭୁ । ରତ୍ନବେଦି ଛାଡ଼ି ଜନ୍ମବେଦିରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି । କୋଟି ବ୍ରହ୍ମାଣ୍ଡନାଥ କାଳିଆ ସାଆନ୍ତ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯିବେ । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଗତକାଲି ମହାପ୍ରଭୁଙ୍କ ଆଜ୍ଞାମାଳ ରଥରେ ବିଜେ ହେବା ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ହୋଇ ସିଂହଦ୍ବାରସ୍ଥିତ ଚକଡ଼ାରେ ବିଜେ କରାଯିବା ସହ ଉତ୍ତରମୁହାଁ ହୋଇ ପ୍ରସ୍ତୁତ ରହିଛନ୍ତି ।

ସେହିପରି ଆଜି ଦଇତାପତି ସେବକମାନେ ପହଣ୍ଡି ପାଇଁ ମହାପ୍ରଭୁଙ୍କୁ ସେନାପଟା ଲାଗି କରିଛନ୍ତି । ସେପଟେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ସାଢ଼େ ୮ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ସାଢ଼େ ୧୧ଟା ଭିତରେ ପହଣ୍ଡି ଶେଷ କରି ଅନ୍ୟାନ୍ୟ ନୀତି ପରେ ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହେବ । ଯଦି ସଅଳ ନୀତିକାନ୍ତି ଶେଷ ହୁଏ, ତେବେ ଅପରାହ୍ଣ ୩ଟା ପୂର୍ବରୁ ବି ରଥ ଟାଣିବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ କେବଳ ସେବାୟତ ରଥ ଟାଣିବେ। ପୁଲିସ ରଥକୁ କର୍ଡନ୍‌ କରିନେବେ। ଏଥିପାଇଁ ସଅଳ ନୀତିକାନ୍ତି ସାରି ରଥଟାଣିବାକୁ ଲକ୍ଷ୍ୟ ରଖାଯାଇଛି।