ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ! ୯୫ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ୧,୬୩୮ଜଣ ପ୍ରାର୍ଥୀ । ଭୋଟ ଦେବେ ୧କୋଟି ୪୦ ଲକ୍ଷରୁ ଅଧିକ ଭୋଟର ।

112

କନକ ବ୍ୟୁରୋ : ରାତିପାହିଲେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୯୫ଟି ଲୋକସଭା ଆସନରେ ନିର୍ବାଚନ ହେବ । ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଏହି ନିର୍ବାଚନ ହେବ । ଏଥିପାଇଁ ଷ୍ଟ୍ରଂଗ ରୁମରୁ ଇଭିଏମ ଓ ମତଦାନ ପାଇଁ ଆବଶ୍ୟକ ସରଞ୍ଜାମ ଧରି ପୁଲିଂ ପାର୍ଟି ଗୁଡିକ ବୁଥ ଗୁଡିକରେ ପହଞ୍ଚି ସାରିଛନ୍ତି । କଡା ସୁରକ୍ଷାରେ ପୁଲିଂ ପାର୍ଟି ଗୁଡିକୁ ମତଦାନ କେନ୍ଦ୍ରକୁ ପଠାଯାଇଛି । ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟର ୯୭ଟି ଆସନରେ ମତଦାନ ଗ୍ରହଣ କରିବାକୁ ଧାର୍ଯ୍ୟ କରାଯାଇଥିଲା । ତେବେ ତାମିଲନାଡୁ ଓ ତ୍ରିପ୍ରୁରାର ଗୋଟିଏ ଲେଖାଏଁ ଆସନରେ ହେବାକୁ ଥିବା ମତଦାନକୁ ରଦ୍ଦ କରାଯାଇଛି ।

ଆସନ୍ତାକାଲି ତାମିଲନାଡୁର ୩୮ଟି ଆସନ, କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ଓଡିଶା, ବିହାର ଓ ଆସାମରେ ୫ଟି ଲେଖାଏଁ , ଛତିଶଗଡ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ, ଜମ୍ମୁକଶ୍ମୀରରେ ୨ଟି ଏବଂ ମଣିପୁର ଓ ପୁଡୁଚେରିରେ ଗୋଟିଏ ଲେଖାଏଁ ଆସନରେ ଭୋଟ ହେବ । ଆଇନଶୃଙ୍ଖଳା ପାଇଁ ପୂର୍ବ ତ୍ରିପୁରା ଓ ତାମିଲାନାଡୁର ଭେଲୋର ଆସନରେ ବ୍ୟାପକ ଟଙ୍କା କାରବାର ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନକୁ ବାତିଲ କରାଯାଇଛି ।