କନକ ବ୍ୟୁରୋ : ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ଆଜି ଅପରାହ୍ନରେ ହରିୟାଣାର ଜିନ୍ଦ ଠାରେ ଏକ ‘ମହାପଞ୍ଚାୟତ’ର ଆୟୋଜନ କରିଥିବା ବେଳେ ମହାପଞ୍ଚାୟତର ମଞ୍ଚ ଭୁଶୁଡ଼ି ପଡ଼ିଛି। ଏବଂ ମଞ୍ଚ ଉପରୁ କୃଷକ ନେତା ରାକେଶ ଟିକାୟତ ତଳକୁ ଖସି ପଡ଼ିଛନ୍ତି। ତେବେ, ଏହି ଘଟଣାରେ କୃଷକ ନେତା ଟିକାୟତ ଆହତ ହୋଇ ନଥିବା ଜାଣିବାକୁ ମିଳିଛି।
ଖବରରୁ ପ୍ରକାଶ, ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଆଜି ଅପରାହ୍ନରେ ହରିୟାଣାର ଜିନ୍ଦ ଠାରେ ଏକ ‘ମହାପଞ୍ଚାୟତ’ ବା ବିଶାଳ ସମାବେଶର ଆୟୋଜନ କରିଥିଲେ।
ଆନ୍ଦୋଳନକାରୀ କୃଷକମାନଙ୍କୁ ସମ୍ବୋଧନ କରିବା ଉଦ୍ଦେଶ୍ୟରେ ଏହି ମହାପଞ୍ଚାୟତରେ ଏକ ମଞ୍ଚ ନିର୍ମାଣ ହୋଇଥିଲା। ଏକ ମଞ୍ଚ ଉପରୁ କିଷାନ ୟୁନିୟନ ନେତା ରାକେଶ ଟିକାୟତଙ୍କ ସମେତ ବିଭିନ୍ନ କୃଷକ ସଂଗଠନର ଅନ୍ୟ ନେତା ଏହି ସମାବେଶକୁ ସମ୍ବୋଧିତ କରିଥିଲେ। ତେବେ, କୃଷକ ନେତା ଟିକାୟତ ଭାଷଣ ଦେଉଥିବା ବେଳେ ମଞ୍ଚଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଟିକାୟତ ତଳେ ପଡ଼ି ଯାଇଥିଲେ।
ମଞ୍ଚ ଭୁଶୁଡ଼ିବାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିଷାନ ୟୁନିୟନ ନେତା ଟିକାୟତ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଥିବା ବେଳେ ମଞ୍ଚ ଭୁଶୁଡ଼ି ପଡିଥିଲା। ମଞ୍ଚ ଭୁଶୁଡ଼ି ପଡ଼ୁଥିବା ଦେଖି ଉପରେ ଥିବା ନେତାମାନେ ମଧ୍ୟ ତଳକୁ ଡେଇଁ ପଡିଥିଲେ।
Follow Us