କନକ ବ୍ୟୁରୋ: ସରୁନି ଟଙ୍କା ଗଣତି । ଆୟକର ଚଢାଉବେଳେ ଜବତ ଟଙ୍କାକୁ ଗଣି ଗଣି ହାଲିଆ ହୋଇଛନ୍ତି ବ୍ୟାଙ୍କ ଅଧିକାରୀ । ବଲାଙ୍ଗୀରରେ ଗଣତି ଶେଷ ହୋଇନାହିଁ । ଆଜି ରବିବାର ଛୁଟି ଦିନ ହୋଇଥିଲେ ବି ବ୍ୟାଙ୍କ ଖୋଲାଯାଇଥିଲା । ଆଉ ଗଣତିବେଳେ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି ବ୍ୟାଙ୍କ କର୍ମଚାରୀ । ଆଜି ପୁଣି ବଲାଙ୍ଗୀରର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଗଣତି କରାଯାଇଥିଲା । ୨୫ଟି ମେସିନ ସହାୟତାରେ ଗଣତି କରାଯାଇଥିଲା । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୦ଟି ମେସିନ୍କୁ ଷ୍ଟାଣ୍ଡବାୟରେ ରଖାଯାଇଥିଲା । ବର୍ତମାନ ସୁଦ୍ଧା ମଦ ବ୍ୟବସାୟୀଙ୍କ ଘରୁ ଅଢେଇଶ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment

ଆୟକର ବିଭାଗ ଚଢ଼ାଉ ବେଳେ ଜବତ ହୋଇଥିବା ଶହ ଶହ କୋଟି ଟଙ୍କା ଗଣତି ପାଇଁ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ଯାଇଥିଲା । ଛୁଟି ଥିଲେ ବି ଟଙ୍କା ଗଣତିରେ ନିୟୋଜିତ କର୍ମଚାରୀ ବ୍ୟାଙ୍କକୁ ଆସିଥିଲେ । ପ୍ରାୟ ୫୦ ଜଣ କର୍ମଚାରୀ ଟଙ୍କା ଗଣତିରେ ସାମିଲ ହୋଇଥିଲେ । ତେବେ ଏହି ଗଣତିରେ ସାମିଲ ହୋଇଥିବା କର୍ମଚାରୀ ବର୍ଷ ବର୍ଷ ଧରି ବ୍ୟାଙ୍କରେ କାମ କରିଥିଲେ ବି ଏକକାଳିନ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି । ଚାକିରୀ କରିବା ଭିତରେ ଏତେ ଟଙ୍କା ଦେଖିନଥିଲେ ବୋଲି କହିଛନ୍ତି । ଜଣେ ଜଣେ ଲୋକ ଏତେ ଟଙ୍କା ଠୁଳ କରିପାରନ୍ତି ତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡରୁ ଜବତ ହୋଇଥିବା ଟଙ୍କା ଗଣତି, ଶନିବାର ସୁଦ୍ଧା ସରିଯାଇଥିଲେ ବି ବଲାଙ୍ଗୀରରେ ଜବତ ହୋଇଥିବା ଟଙ୍କା ଗଣତି ଶେଷ ହୋଇନଥିଲା । ରବିବାର ପୁଣି ବଲାଙ୍ଗୀରର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଗଣତି କରାଯାଇଥିଲା । ୨୫ଟି ମେସିନ ସହାୟତାରେ ଗଣତି କରାଯାଇଥିଲା । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୦ଟି ମେସିନ୍କୁ ଷ୍ଟାଣ୍ଡବାୟରେ ରଖାଯାଇଥିଲା । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ । ଏଥିସହ ଯେଉଁ ଟଙ୍କା ବିଡ଼ା ଓଦାଳିଆ ହୋଇଥିଲା, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଇଛି ।

ସାହୁ ବ୍ରଦର୍ସର ମାଲିକାନାରେ ଥିବା ଏକାଧିକ ଠିକଣାରେ ବୁଧବାର ଚଢ଼ାଉ କରିଥିଲା ଆୟକର ବିଭାଗ । ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ, ରାୟଗଡା , ଭୁବନେଶ୍ୱରରେ ଚଢ଼ାଉ କରିଥିଲେ ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ । ଚଢ଼ାଉ ସମୟରେ ବଲାଙ୍ଗୀରରୁ ପୁଳା ପୁଳା ଟଙ୍କା ଠାବ କରିଥିଲା ତଦନ୍ତକାରୀ ଟିମ୍ । ଆଉ ସେହି ସବୁ ଟଙ୍କାକୁ ୧୭୬ଟି ପ୍ୟାକେଟରେ ଭର୍ତି କରି ଗଣତି ପାଇଁ ବ୍ୟାଙ୍କକୁ ନିଆଯାଇଥିଲା । ସେହିପରି ସମ୍ବଲପୁରରୁ ୩୭ କୋଟି ୫୦ଲକ୍ଷ ଟଙ୍କା ଜବତ ହୋଇଛି ।