ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ । ଜଣଙ୍କର ମୃତ୍ୟୁ । ୧୦ ଦିନ ତଳେ ହୋଇଥିଲା ବାହାଘର ।

2,368

କନକ ବ୍ୟୁରୋ: ଗାଁ ପାଲଟିଛି ପୋଲିସ ଛାଉଣୀ, ଉତ୍ୟକ୍ତ ଲୋକେ କରିଛନ୍ତି ବ୍ୟାପକ ପୋଡାଜଳା । ଦୋକାନ ପୋଡିଛି, ଘର ପୋଡିଛି ଓ ଗାଡି ପୋଡିଛି । ମୋହନା ଥାନା ଚନ୍ଦ୍ରଗିରି ଗାଁରେ ବିବାହ ଶୋଭାଯାତ୍ରା ଚାଲିଥିଲା ଆଉ ଏହି ସମୟରେ ଗାଁର ପ୍ରଶାନ୍ତ ପ୍ରଧାନଙ୍କୁ ଛୁରାମାଡ କରିଥିଲେ ଶ୍ରୀହରି ପ୍ରଧାନ । ଘଟଣାରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ତାତିଥିଲେ ଲୋକେ । ଗାଁ ରଣକ୍ଷେତ୍ର ପାଲଟିଥିଲା । ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଶ୍ରୀହରି ପ୍ରଧାନଙ୍କୁ ଗିରଫ ଦାବିରେ ବ୍ୟାପକ ପୋଡାଜଳା କରିଥିଲେ । ଗାଡି ଦୋକାନ ଓ ଘର ଜାଳିିଦେଇଥିଲେ । ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଫଳରେ ମୋହନା-ପାରଳାଖେମୁଣ୍ଡି ୩୨୬ ରାଜତୀୟ ରାଜପଥରେ ଗାଡି ଚଳାଚଳ ଠପ ହୋଇଯାଇଥିଲା । ପୁଲିସର ବୁଝାସୁଝା ପରେ ରାସ୍ତାରୋକ ହଟିଛି । କିନ୍ତୁ ଉତେଜନା କମିନାହିଁ ।

-ଉଜୁଡିଗଲା ପରିବାର
-୧୦ ଦିନ ତଳେ ହୋଇଥିଲା ପ୍ରଶାନ୍ତଙ୍କ ବାହାଘର

ପ୍ରଶାନ୍ତଙ୍କ ମୃତ୍ୟୁରେ ପରିବାରର ପାଦତଳୁ ମାଟି ଖସିଯାଇଛି । ପରିବାର ଉଜୁଡିଯାଇଛି । ୧୦ ଦିନ ତଳେ ପ୍ରଶାନ୍ତଙ୍କ ବାହାଘର ହୋଇଥିଲା । ଛୁରମାଡ ପଛର କାରଣ ପୂର୍ବଶତ୍ରୁତା ବୋଲି ଜଣାପଡିଛି । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ଗାଁରେ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଅଭିଯୁକ୍ତ ଶ୍ରୀହରି ପ୍ରଧାନ ଗିରଫ ହୋଇଛନ୍ତି । ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୋଜା ଚାଲିଛି । ଚନ୍ଦ୍ରଗିରିରେ ଏବେ ବି ଉତ୍ତେଜନା ଲାଗିରହିଥିବାକୁ କଡା ନଜର ରଖିଛି ପୁଲିସ । ଲୋକଙ୍କୁ ବୁଝାଇବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଛି ।